ଭିଜିଲାନ୍ସ ଜାଲରେ R&B ଯନ୍ତ୍ରୀ! ୭ଟି ସ୍ଥାନରେ ଏକକାଳୀନ ରେଡ୍

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ ଆଣ୍ଡ ବି (R&B) ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଯାଜପୁର ଜିଲ୍ଲାର ବଡ଼ଚଣା R&B ସବ୍‌ଡିଭିଜନ୍‌ରେ କାର୍ଯ୍ୟରତ ତପନ ସେଠୀଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଭିଜିଲାନ୍ସ ପକ୍ଷରୁ କଟକ, ପୁରୀ ଓ ଭୁବନେଶ୍ୱର ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ କରାଯାଉଛି। ଏହି ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଟିମ୍‌ ପକ୍ଷରୁ କଟକ ସିଡିଏ ସେକ୍ଟର-୭ରେ ଥିବା ତିନି ମହଲା କୋଠା, ପୁରୀର ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା ଏବଂ କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍‌ ଓ ସିମ୍ପ୍ଲେକ୍ସରେ ଯାଞ୍ଚ କରାଯାଉଛି।

ସେହିପରି ପୁରୀ ଜିଲ୍ଲାର କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆରେ ଥିବା ଦୁଇ ମହଲା ଘର, କଟକ ୪୨ ମୌଜାର ବାଣ୍ଟୁଣିଆସ୍ଥିତ ତାଙ୍କ ଶ୍ୱଶୁର ଘର ଏବଂ ଭୁବନେଶ୍ୱରର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠାରେ ମଧ୍ୟ ଚଢ଼ାଉ ଚାଲିଛି। ଏହାବ୍ୟତୀତ ବଡ଼ଚଣାସ୍ଥିତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରୁଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଯାଞ୍ଚ ଶେଷ ହେବା ପରେ ତପନ ସେଠୀଙ୍କ ନାମରେ ଥିବା ସମ୍ପତ୍ତି, ଆର୍ଥିକ କାରବାର ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ। ତେବେ ଭିଜିଲାନ୍ସ ଯାଞ୍ଚ ପରେ ହିଁ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial