ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ଲଘୁଚାପକୁ ନେଇ ବଢ଼ିଲା ଚର୍ଚ୍ଚା। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି? ଯଦି ବାତ୍ୟାରେ ପରିଣତ ହୁଏ, ତେବେ ଏହାର ଗତିପଥ କେଉଁ ଦିଗରେ ରହିବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଅକ୍ଟୋବର ୨୩ ବେଳକୁ ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।
ତେବେ ଏହି ସମ୍ଭାବ୍ୟ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି IMD ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ପୂର୍ବାନୁମାନ କରାଯାଇନାହିଁ। ଅନ୍ୟପକ୍ଷରେ, ବିଭିନ୍ନ ପାଣିପାଗ ମଡେଲ୍ର ଆକଳନରେ ଭିନ୍ନତା ଦେଖିବାକୁ ମିଳୁଛି। ଆମେରିକାର GFS ମଡେଲ୍ ଅକ୍ଟୋବର ୨୪ ବେଳକୁ ଏହା ବାତ୍ୟା ସ୍ତରରେ ପହଞ୍ଚିବାର ସଙ୍କେତ ଦେଉଥିବାବେଳେ, ୟୁରୋପୀୟ ECMWF ମଡେଲ୍ ଅକ୍ଟୋବର ୨୬ରୁ ୨୭ ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଆକଳନ କରୁଛି। ସେହିପରି IMD-GFS ମଡେଲ୍ ଅକ୍ଟୋବର ୨୮ ବେଳକୁ ବାତ୍ୟା ସ୍ତରର ସମ୍ଭାବନା ଦର୍ଶାଉଛି।
ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ମଧ୍ୟ ଏକମତ ହୋଇପାରିନାହାନ୍ତି ପାଣିପାଗ ମଡେଲ୍ଗୁଡ଼ିକ। ଅଧିକାଂଶ ମଡେଲ୍ର ଆକଳନରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ମିଳୁଛି। କେତେକ ମଡେଲ୍ ଅକ୍ଟୋବର ୨୮ ବେଳକୁ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ଦର୍ଶାଉଥିବାବେଳେ, ଅନ୍ୟ କିଛି ମଡେଲ୍ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଦିଗକୁ ମୁହାଁଇପାରେ ବୋଲି ସଙ୍କେତ ଦେଉଛନ୍ତି।
ଏପରିକି Windy.comର ECMWF ମଡେଲ୍ରେ ଅକ୍ଟୋବର ୨୬ ରାତି ବେଳକୁ ବିଶାଖାପାଟଣାର ଦକ୍ଷିଣରେ ଏକ ସଂଗଠିତ ପାଣିପାଗ ବ୍ୟବସ୍ଥା ଦେଖାଯାଉଛି। କିନ୍ତୁ ଏହା କେବଳ ଏକ ପାଣିପାଗ ମଡେଲ୍ର ଆକଳନ, ସରକାରୀ ବାତ୍ୟା ଘୋଷଣା ନୁହେଁ। ତେଣୁ ଏବେଠାରୁ ବାତ୍ୟାର ସୃଷ୍ଟି, ତୀବ୍ରତା, ଗତିପଥ କିମ୍ବା ସମ୍ଭାବ୍ୟ ସ୍ଥଳଭାଗ ସ୍ପର୍ଶ ସମ୍ପର୍କରେ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ନୁହେଁ। ଲଘୁଚାପ ସୃଷ୍ଟି ହେବା ପରେ ଏହାର ସ୍ଥିତି ଓ ଗତିବିଧି ଉପରେ ନଜର ରଖି ଆଗାମୀ ଦିନରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ।













Leave a Reply