ମୁମ୍ବାଇରେ ଓଡ଼ିଶାର ଶିଳ୍ପ ଶକ୍ତି ପ୍ରଦର୍ଶନ, ୨୦ରୁ ଅଧିକ କମ୍ପାନୀ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାକୁ ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ଏକ ପ୍ରମୁଖ ନିବେଶ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି। ଏଥିପାଇଁ ମୁମ୍ବାଇରେ ଅକ୍ଟୋବର ୨୨ ଓ ୨୩ ତାରିଖରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ ସମ୍ମିଳନୀରେ ନିଜର ଶିଳ୍ପ ଦକ୍ଷତା, ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଓ ନିବେଶ ସମ୍ଭାବନାକୁ ଉପସ୍ଥାପନ କରିବ ଓଡ଼ିଶା। ଏହି ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହ ସହ ଉଚ୍ଚସ୍ତରୀୟ ସିଇଓ ରାଉଣ୍ଡଟେବୁଲ୍ ବୈଠକରେ ଯୋଗଦେବେ। ଦେଶ-ବିଦେଶର ୨୦ରୁ ଅଧିକ ପ୍ରମୁଖ ଶିଳ୍ପ ସଂସ୍ଥାର ଅଧ୍ୟକ୍ଷ ଓ ଶୀର୍ଷ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ରାଜ୍ୟରେ ନିବେଶ ପାଇଁ ଆହ୍ୱାନ ଦେବେ। ମୁଖ୍ୟମନ୍ତ୍ରୀ ୨୩ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ର ରସାୟନ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଡାଉନ୍‌ଷ୍ଟ୍ରିମ୍ ଉତ୍ପାଦନ, ଶିଳ୍ପର ସମ୍ପ୍ରସାରଣ ଓ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆଣିବା ସହ ମୂଲ୍ୟଯୁକ୍ତ ଉତ୍ପାଦନ ବୃଦ୍ଧି କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ରହିବ।ଏହି ସମ୍ମିଳନୀରେ ଓଡ଼ିଶାର ଅଂଶଗ୍ରହଣର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ କୋଇଲା ଗ୍ୟାସୀକରଣ ପ୍ରକଳ୍ପ। ଏହା ସହିତ ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପରେ ନିବେଶ ଆକର୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ବୃହତ୍ କେମିକାଲ୍ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଘୋଷଣା କରିପାରନ୍ତି। ତେବେ ଏହି ଶିଳ୍ପ ପାର୍କ ସମ୍ପର୍କିତ ଘୋଷଣା ଏପର୍ଯ୍ୟନ୍ତ ପ୍ରସ୍ତାବିତ ସମ୍ଭାବନା ଭାବେ ରହିଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ୫୬ଟି କମ୍ପାନୀକୁ ଆକର୍ଷିତ କରିଛି। ଏହି କମ୍ପାନୀଗୁଡ଼ିକ ପକ୍ଷରୁ ମୋଟ ୧,୯୩,୦୮୭.୯୪ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ରହିଥିବାବେଳେ ଏହା ମାଧ୍ୟମରେ ୧,୧୨,୩୨୪ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି। ଏହାବ୍ୟତୀତ ଏହି କ୍ଷେତ୍ରରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ହୋଇସାରିଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ ନିବେଶ ମୂଲ୍ୟ ୬୦,୮୨୫.୩୪ କୋଟି ଟଙ୍କା ହୋଇଥିବାବେଳେ ୩୫,୩୫୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆକଳନ କରାଯାଇଛି। ଖଣି ଓ ଧାତୁ ଶିଳ୍ପରେ ଓଡ଼ିଶାର ପୂର୍ବରୁ ରହିଥିବା ଦକ୍ଷତା, ସମୃଦ୍ଧ ପ୍ରାକୃତିକ ସମ୍ପଦ, ଶିଳ୍ପ ଭିତ୍ତିଭୂମି ଏବଂ ସହାୟକ ନୀତିଗତ ବ୍ୟବସ୍ଥାକୁ ଆଧାର କରି ରାଜ୍ୟ ସରକାର ଏବେ ଉଚ୍ଚମୂଲ୍ୟଯୁକ୍ତ ରସାୟନ ଓ ପେଟ୍ରୋକେମିକାଲ୍ସ ଉତ୍ପାଦନ ଦିଗରେ ଆଗକୁ ବଢ଼ୁଛନ୍ତି। ଏହାଦ୍ୱାରା ଅନୁଷଙ୍ଗିକ ଶିଳ୍ପର ବିକାଶ, ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ ଓ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଏହି ପ୍ରୟାସ ସମ୍ପର୍କରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଓଡ଼ିଶାର ଦୃଢ଼ ଶିଳ୍ପ ଭିତ୍ତିଭୂମିକୁ ଆଧାର କରି ରସାୟନ ଓ ପେଟ୍ରୋକେମିକାଲ୍ସ ଭଳି ଉଚ୍ଚ ସମ୍ଭାବନାଯୁକ୍ତ କ୍ଷେତ୍ରରେ ରାଜ୍ୟ ନିଜର ସ୍ଥିତିକୁ ବିସ୍ତାର କରିବାକୁ ଚାହୁଁଛି। ଇଣ୍ଡିଆ କେମ୍ ୨୦୨୬ ମାଧ୍ୟମରେ ପ୍ରମୁଖ କମ୍ପାନୀଗୁଡ଼ିକ ସହ ସିଧାସଳଖ ଆଲୋଚନା, ନିବେଶ ସୁଯୋଗର ପ୍ରଚାର ଓ ଭବିଷ୍ୟତର ଶିଳ୍ପ ବିକାଶ ପାଇଁ ସହଯୋଗିତା ସ୍ଥାପନ କରିବା ସମ୍ଭବ ହେବ। ପ୍ରସ୍ତାବିତ ବୃହତ୍ କେମିକାଲ୍ ଶିଳ୍ପ ପାର୍କ ଓ କୋଇଲା ଗ୍ୟାସୀକରଣ ପ୍ରକଳ୍ପ ଏହି ଉଦ୍ୟମକୁ ଆହୁରି ଗତି ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ତାମିଲନାଡୁ ଭଳି ରାଜ୍ୟ ସହ ଏହି ସମ୍ମିଳନୀରେ ଓଡ଼ିଶା ମଧ୍ୟ ନିଜର ଶିଳ୍ପ ସମ୍ଭାବନା ପ୍ରଦର୍ଶନ କରିବ। ମହାରାଷ୍ଟ୍ର ଓ ଗୁଜରାଟ ପରି ପ୍ରତିଷ୍ଠିତ ରସାୟନ ଓ ପେଟ୍ରୋକେମିକାଲ୍ସ ହବ୍‌ ସହ ପ୍ରତିଯୋଗିତା କରି ଏହି କ୍ଷେତ୍ରରେ ନିଜର ସ୍ଥାନ ସୁଦୃଢ଼ କରିବା ରାଜ୍ୟର ଲକ୍ଷ୍ୟ। ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ଭାଗିଦାରୀ ଆଗାମୀ ଦିନରେ ନୂଆ ନିବେଶ, ଶିଳ୍ପ ସମ୍ପ୍ରସାରଣ ଓ ନିଯୁକ୍ତି ସୃଷ୍ଟି ପାଇଁ କେତେ ସଫଳ ହେଉଛି, ତାହା ଉପରେ ଏବେ ନଜର ରହିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial