ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ନୀତି। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିର ଶୁଭାରମ୍ଭ ହୋଇଥିବାବେଳେ ଏକ ମାସ ଧରି ରାଧାଦାମୋଦର ବେଶ ଓ ବାଳଧୂପ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାବାହୁ। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରାକୁ ନେଇ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ହୋଇଥାଏ। ଏହି ବେଶ ସହ ମହାପ୍ରଭୁଙ୍କ ନିକଟରେ ଲାଗି ହୁଏ ସ୍ୱତନ୍ତ୍ର ଭୋଗ, ଯାହାକୁ ବାଳଧୂପ କୁହାଯାଏ। ସକାଳଧୂପ ପରେ ଅନୁଷ୍ଠିତ ହେଉଥିବା ଏହି ନୀତିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି ଓ ପଇଡ଼ ଆଦି ଭୋଗ ଲାଗି କରାଯାଇଥାଏ। ଏହି ସ୍ୱତନ୍ତ୍ର ନୀତିକୁ ନେଇ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ସହ ଭକ୍ତଙ୍କ ସୁବିଧାଜନକ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସେପଟେ ଶ୍ରୀକ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ପରମ୍ପରା ଗୋଷାଣି ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସିଂହଦ୍ୱାର ନିକଟରେ ସାତ ସାହି ଓ ୪୨ କନ୍ଦିର ପ୍ରାୟ ୫୦ଟି ମେଢ଼ ଏକାଠି ହେବେ। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିବ। ମହାକାର୍ତ୍ତିକ ନୀତି, ରାଧାଦାମୋଦର ବେଶ ଓ ବାଳଧୂପ ଭୋଗ ସହ ଗୋଷାଣି ଯାତ୍ରା—ଏହି ସବୁ ଧାର୍ମିକ ପରମ୍ପରାକୁ ନେଇ ଆଜି ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି।












Leave a Reply