ରେଭେନ୍ସା ବିବାଦରେ ପଡ଼ିଲାନି ପୂର୍ଣ୍ଣଛେଦ; ବିଧାୟକ-ଶିକ୍ଷକ ସଂଘ ମତଭେଦ ଜାରି, ସମାଧାନ ପାଇଁ ଚାଲିଛି ପ୍ରୟାସ

ଅକ୍ଷର ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାରି ରହିଥିବା ବିବାଦ ଏପର୍ଯ୍ୟନ୍ତ ତୁଟିନାହିଁ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଯୋଗୁଁ କ୍ୟାମ୍ପସରେ ଅଚଳାବସ୍ଥା ଲାଗି ରହିଛି। ଏହି ପରିସ୍ଥିତି ମଧ୍ୟରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ଚିଠିରେ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଭାବେ ବିଧାୟକ ପ୍ରକାଶ ସେଠୀଙ୍କ ନାମ ସାମିଲ ହେବା ବିବାଦକୁ ଆହୁରି ତୀବ୍ର କରିଦେଇଛି। ଏହି ବିବାଦର ମୂଳ ଇଷ୍ଟ ହଷ୍ଟେଲର ଅନ୍ତେବାସୀଙ୍କ ପ୍ରତିବାଦ ଓ ଅନଶନରୁ ଆରମ୍ଭ ହୋଇଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ଘଟଣାଟି ବିଶ୍ୱବିଦ୍ୟାଳୟ ପ୍ରଶାସନ, ଶିକ୍ଷକ ସଂଘ ଏବଂ ବିଧାୟକଙ୍କ ମଧ୍ୟରେ ଟଣାଓଟରାର ରୂପ ନେଇଥିଲା।

ଏହି ପ୍ରସଙ୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଘଟଣାକୁ ନେଇ କୁଳାଧିପତି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରାଯାଇଛି। ସମସ୍ୟାର ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଶିକ୍ଷକ ସଂଘ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

କୁଳପତି ଆହୁରି କହିଛନ୍ତି ଯେ, ବିବାଦ ଜାରି ରହିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା କିମ୍ବା ହଷ୍ଟେଲ ପରିଚାଳନା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରଭାବ ପଡ଼ିନାହିଁ। ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ସେ ସୂଚନା ଦେଇଛନ୍ତି। ଏବେ ଏହି ବିବାଦର ସମାଧାନ ନେଇ ସମସ୍ତଙ୍କ ନଜର କୁଳାଧିପତି, ଉଚ୍ଚ ଶିକ୍ଷା ବିଭାଗ ଓ ସମ୍ପୃକ୍ତ ପକ୍ଷମାନଙ୍କ ଆଲୋଚନା ଉପରେ ରହିଛି। କେବେ ସମାଧାନର ବାଟ ଫିଟିବ ଏବଂ ରେଭେନ୍ସା କ୍ୟାମ୍ପସରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ, ତାହାକୁ ନେଇ ଶିକ୍ଷାମହଳ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପେକ୍ଷା ବଢ଼ିଚାଲିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial