ଶୋଇଥିବା ବେଳେ ମାଡ଼ିଆସିଲା କାଳ; ସାପ କାମୁଡ଼ାରେ ଚାଲିଗଲା ମାଆ ଓ ୭ ବର୍ଷର ପୁଅଙ୍କ ଜୀବନ

ଅକ୍ଷର ବ୍ୟୁରୋ: ଗଜପତି ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଖବର। ରାତିରେ ପରିବାର ସହ ଘରେ ଶୋଇଥିବା ବେଳେ ଘର ଭିତରେ ପଶିଥିବା ଦୁଇଟି ରଣା ସାପର କାମୁଡ଼ାରେ ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମ୍ବାତାଳ ଗ୍ରାମରେ ଘଟିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଅଜୟ କୁମାର ବଡ଼ରଇତ ତାଙ୍କ ପତ୍ନୀ ଲଳିତା ବଡ଼ରଇତ (୩୦), ୭ ବର୍ଷର ପୁଅ ଅମିତ ଓ ଦେଢ଼ ବର୍ଷର କନ୍ୟାଙ୍କ ସହ ଗତକାଲି ରାତିରେ ଘରେ ଶୋଇଥିଲେ। ସେହି ସମୟରେ ଦୁଇଟି ରଣା ସାପ ଘର ଭିତରକୁ ପଶି ଲଳିତା ଓ ଅମିତଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ମାଆ ଓ ପୁଅ ଚିତ୍କାର କରିବାରୁ ଅଜୟଙ୍କ ନିଦ ଭାଙ୍ଗିଯାଇଥିଲା। ସେ ଉଠି ଦେଖିବା ବେଳେ ଘର ଭିତରେ ଦୁଇଟି ରଣା ସାପ ବୁଲୁଥିବା ଦେଖିଥିଲେ। ପରିବାର ଲୋକେ ତୁରନ୍ତ ଲଳିତା ଓ ଅମିତଙ୍କୁ ଉଦ୍ଧାର କରି ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ତାଙ୍କ ପୁଅ ଅମିତଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଜୟ କୁମାର ବଡ଼ରଇତ ଓ ତାଙ୍କ ଦେଢ଼ ବର୍ଷର କନ୍ୟା ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏକ ମୁହୂର୍ତ୍ତରେ ପରିବାରର ଦୁଇ ଜଣଙ୍କୁ ହରାଇ ଅଜୟ ଭାଙ୍ଗିପଡ଼ିଥିବାବେଳେ ସମଗ୍ର କଡମ୍ବାତାଳ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବର୍ଷା ଋତୁରେ ସାପଙ୍କ ଉପଦ୍ରବ ବଢ଼ୁଥିବାରୁ ଗ୍ରାମାଞ୍ଚଳରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକମାନେ ପରାମର୍ଶ ଦେଇଛନ୍ତି। ଘର ଚାରିପାଖ ସଫା ରଖିବା, ରାତିରେ ଶୋଇବା ପୂର୍ବରୁ ଘର ଯାଞ୍ଚ କରିବା ଏବଂ ସାପ କାମୁଡ଼ିଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଖାନାକୁ ନେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial