ମହଙ୍ଗା ହୋଇପାରେ LPG-CNG! ରଣନୀତିକ ଇନ୍ଧନ ଭଣ୍ଡାର ପାଇଁ ନୂଆ ଶୁଳ୍କ ଯୋଜନାରେ ସରକାର

ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ପରେ ଭାରତର ଉର୍ଜା ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ବଡ଼ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦେଶରେ ଅଶୋଧିତ ତେଲ, ଏଲ୍‌ପିଜି ଓ ଏଲ୍‌ଏନ୍‌ଜିର ରଣନୀତିକ ଭଣ୍ଡାର କ୍ଷମତା ବଢ଼ାଇବା ପାଇଁ ପ୍ରାୟ ୪୨ ବିଲିଅନ ଡଲାର (ପ୍ରାୟ ୩.୭ ଲକ୍ଷ କୋଟି ଟଙ୍କା) ନିବେଶର ଯୋଜନା ହୋଇଛି। ଏହି ପ୍ରସ୍ତାବକୁ ଏପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇନଥିଲେ ମଧ୍ୟ, ଏହା ପାଇଁ ଗ୍ରାହକଙ୍କ ଉପରେ ନୂଆ ଶୁଳ୍କ ଲାଗୁ ହେବାର ସମ୍ଭାବନା ଚର୍ଚ୍ଚାରେ ରହିଛି।

ପ୍ରସ୍ତାବିତ ଯୋଜନା ଅନୁସାରେ ଘରୋଇ LPG ଉପରେ ପ୍ରତି କିଲୋଗ୍ରାମକୁ ୧ ଟଙ୍କା ୨୯ ପଇସା ଶୁଳ୍କ ଆଦାୟ କରାଯାଇପାରେ। ଏହା ଲାଗୁ ହେଲେ ୧୪ କିଲୋଗ୍ରାମ LPG ସିଲିଣ୍ଡରର ଦାମ ପ୍ରାୟ ୧୮ ଟଙ୍କା ବଢ଼ିପାରେ। ସେହିପରି ପ୍ରାକୃତିକ ଗ୍ୟାସ (PNG/CNG) ଉପରେ ପ୍ରତି ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟରକୁ ୧ ଟଙ୍କା ୪୩ ପଇସା ଅତିରିକ୍ତ ଶୁଳ୍କ ଲାଗିବାର ସମ୍ଭାବନା ରହିଛି।

ସରକାରଙ୍କ ଆକଳନ ଅନୁଯାୟୀ, ଏହି ଶୁଳ୍କ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇପାରିବ। ଏଥିରୁ ପ୍ରାକୃତିକ ଗ୍ୟାସ ବାବଦରେ ବାର୍ଷିକ ୧ ବିଲିଅନ ଡଲାର ଆଦାୟ ହେବାର ଆକଳନ ରହିଛି। ସଂଗ୍ରହ ହୋଇଥିବା ଅର୍ଥକୁ ଦେଶର ରଣନୀତିକ ଇନ୍ଧନ ଭଣ୍ଡାର ନିର୍ମାଣରେ ବିନିଯୋଗ କରାଯିବ।

ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶରେ ୨୮ ନିୟୁତ ମେଟ୍ରିକ୍ ଟନ୍ ଅଶୋଧିତ ତେଲ, ୯ ନିୟୁତ ଟନ୍ LNG ଏବଂ ୪ ନିୟୁତ ଟନ୍ LPG ଭଣ୍ଡାର ସ୍ଥାପନର ଯୋଜନା ରହିଛି। ବର୍ତ୍ତମାନ ଭାରତରେ ୫.୩୩ ନିୟୁତ ଟନ୍ କ୍ଷମତାର ରଣନୀତିକ ଅଶୋଧିତ ତେଲ ଭଣ୍ଡାର ରହିଥିବା ବେଳେ ୬.୫ ନିୟୁତ ଟନ୍ କ୍ଷମତାର ନୂଆ ଭଣ୍ଡାର ନିର୍ମାଣାଧୀନ ଅଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, LPG ଓ LNG ପାଇଁ ଏପର୍ଯ୍ୟନ୍ତ କୌଣସି ରଣନୀତିକ ଭଣ୍ଡାର ବ୍ୟବସ୍ଥା ନାହିଁ। ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରଥମ ଥର ପାଇଁ ଦେଶରେ ଅଶୋଧିତ ତେଲ ସହିତ LNG ଓ LPGକୁ ମଧ୍ୟ ରଣନୀତିକ ଇନ୍ଧନ ଭଣ୍ଡାର ବ୍ୟବସ୍ଥାରେ ସାମିଲ କରାଯିବ। ଏହା ଦ୍ୱାରା ଦେଶରେ ଦୁଇ ମାସର ଅଶୋଧିତ ତେଲ ଓ LNG ଏବଂ ଛଅ ସପ୍ତାହର LPG ମହଜୁଦ ରଖିବାର କ୍ଷମତା ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ପ୍ରସ୍ତାବକୁ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ, ଯଦି ଯୋଜନାକୁ ମଞ୍ଜୁରି ମିଳେ, ତେବେ LPG, PNG ଓ CNG ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ। ଏହି ପ୍ରସ୍ତାବକୁ ନେଇ ଏବେ ସମସ୍ତଙ୍କ ନଜର କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial