ଅକ୍ଷର ବ୍ୟୁରୋ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ ନିକଟସ୍ଥ ନନ୍ଥାବରି ପ୍ରଦେଶର ଦେବସିରିନ୍ ନନ୍ଥାବରି ସ୍କୁଲରେ ଘଟିଛି ଏକ ହୃଦୟବିଦାରକ ଗୁଳିକାଣ୍ଡ। ଏହି ଘଟଣାରେ ୩ ଜଣ ଶିକ୍ଷକ ଓ ୩ ଜଣ ଛାତ୍ରଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଥାଇଲ୍ୟାଣ୍ଡରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ସ୍କୁଲ ପରିସରରେ ହଠାତ୍ ଗୁଳିଚାଳନା କରିଥିଲେ। ଗୁଳିମାଡ଼ ପରେ ସେ ନିଜକୁ ମଧ୍ୟ ଗୁଳି କରିଥିବା କୁହାଯାଉଛି। ଏହି ଘଟଣାରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଗୁଳିଚାଳନାକାରୀ ଛାତ୍ରଙ୍କ ସମେତ ୬ ଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଘଟଣା ପରେ ସ୍କୁଲ ପରିସରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ଥାଇଲ୍ୟାଣ୍ଡର ଶିକ୍ଷାମନ୍ତ୍ରୀ ପ୍ରସେର୍ଟ ଚାଣ୍ଟାରାରୁଆଙ୍ଗଥୋଙ୍ଗ ତୁରନ୍ତ ସହାୟତା ଓ ଆବଶ୍ୟକ ପଦକ୍ଷେପ ନେବାର ଘୋଷଣା କରିଛନ୍ତି। ସେହିପରି ମୃତ ଓ ଆହତଙ୍କ ସମ୍ବେଦନଶୀଳ ଫଟୋ, ଭିଡିଓ କିମ୍ବା ଅଯାଞ୍ଚିତ ସୂଚନା ସୋସିଆଲ ମିଡିଆରେ ପ୍ରସାର ନକରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ ପୀଡ଼ିତ ପରିବାରଙ୍କ ପ୍ରତି ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି।













Leave a Reply