ସିଆରପିଏଫ୍ କ୍ୟାମ୍ପରେ ରକ୍ତାକ୍ତ କାଣ୍ଡ! ୨ ସହକର୍ମୀଙ୍କୁ ଗୁଳି କରି ହତ୍ୟା, ଜଣେ ଆହତ, ପରେ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଲେ ଏଏସଆଇ

ଅକ୍ଷର ବ୍ୟୁରୋ: ଆସାମର ନାଗାଁଓ ଜିଲ୍ଲାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍)ର ୩୪ ବାଟାଲିୟନ କ୍ୟାମ୍ପରେ ମଙ୍ଗଳବାର ସକାଳେ ଘଟିଛି ଏକ ହୃଦୟବିଦାରକ ଓ ଚାଞ୍ଚଲ୍ୟକର ଘଟଣା। ଜଣେ ଏଏସଆଇ ଡ୍ୟୁଟିରେ ଥିବାବେଳେ ଅଚାନକ ନିଜ ସହକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ଦୁଇଜଣ ଜବାନଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପରେ ଅଭିଯୁକ୍ତ ଏଏସଆଇ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଛନ୍ତି।

ସୂଚନା ଅନୁସାରେ, ସକାଳ ପ୍ରାୟ ୭ଟା ବେଳେ ନାଗାଁଓସ୍ଥିତ ସିଆରପିଏଫ୍ ୩୪ ବାଟାଲିୟନ କ୍ୟାମ୍ପର ମୁଖ୍ୟ ଫାଟକରେ ଡ୍ୟୁଟିରେ ଥିବା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ବାଲାମି ପ୍ରେମାବରମ୍ ହଠାତ୍ ନିଜ ସର୍ଭିସ ରାଇଫଲରୁ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାରେ ହେଡ୍ କନଷ୍ଟେବଲ ବିଷ୍ଣୁ ପ୍ରସାଦ ବାଘେଲ ଏବଂ ସବ୍-ଇନ୍ସପେକ୍ଟର ରାମନୱାଲ ସିଂହ ଯାଦବଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଗୋବିନ୍ଦ ଶ୍ରୀପୁଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କ ଚିକିତ୍ସା ଜାରି ରହିଛି।

ସହକର୍ମୀଙ୍କୁ ଗୁଳି କରିବା ପରେ ଏଏସଆଇ ବାଲାମି ପ୍ରେମାବରମ୍ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସମଗ୍ର ସିଆରପିଏଫ୍ କ୍ୟାମ୍ପରେ ହଡ଼କମ୍ପ ସୃଷ୍ଟି ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଭଳି ଘଟଣା କେଉଁ କାରଣରୁ ଘଟିଲା, ଏହା ପଛରେ କୌଣସି ବ୍ୟକ୍ତିଗତ ବିବାଦ, ମାନସିକ ଚାପ କିମ୍ବା ଅନ୍ୟ କୌଣସି କାରଣ ରହିଛି କି, ସେନେଇ ପୁଲିସ ଓ ସିଆରପିଏଫ୍ କର୍ତ୍ତୃପକ୍ଷ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial