ଅକ୍ଷର ବ୍ୟୁରୋ: ପାକିସ୍ତାନରେ ପୁଣି ଆତଙ୍କବାଦର ରକ୍ତାକ୍ତ ଛବି ସାମ୍ନାକୁ ଆସିଛି। ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାଟ ଜିଲ୍ଲାର କାବାଲ ସହରରେ ଆୟୋଜିତ ଏକ ଶାନ୍ତି ସମାବେଶକୁ ଟାର୍ଗେଟ୍ କରି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ‘ସ୍ୱାଟ ପିସ୍ ରାଲି’ କିମ୍ବା ‘ଆମନ ପାସୁନ୍’ ନାମରେ ଆୟୋଜିତ ଏହି ବିଶାଳ ଜନସମାବେଶରେ ସ୍ଥାନୀୟ ବାସିନ୍ଦା, ସାମାଜିକ ସଂଗଠନ ଏବଂ ଶାନ୍ତିପ୍ରିୟ ନାଗରିକମାନେ ବଢ଼ୁଥିବା ଆତଙ୍କବାଦୀ ହିଂସା ବିରୋଧରେ ସ୍ୱର ଉଠାଇବା ସହ ସ୍ଥାୟୀ ଶାନ୍ତିର ଦାବି କରୁଥିଲେ। କାବାଲ ଥାନା ବାହାରେ ପ୍ରଦର୍ଶନକାରୀମାନେ ଆତଙ୍କବାଦ ବିରୋଧୀ ସ୍ଲୋଗାନ ଦେଉଥିବା ସମୟରେ ହଠାତ୍ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବିସ୍ଫୋରକ ଜ୍ୟାକେଟ୍ ପିନ୍ଧିଥିବା ଜଣେ ଆତ୍ମଘାତୀ ଆକ୍ରମଣକାରୀ ଥାନା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇବା ପରେ ସେ ଥାନାର ମୁଖ୍ୟ ଫାଟକ ନିକଟରେ ନିଜକୁ ବିସ୍ଫୋରଣ କରାଇଥିଲେ। ବିସ୍ଫୋରଣରେ ଥାନାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସହ ଶାନ୍ତି ସମାବେଶରେ ଯୋଗ ଦେଇଥିବା ସାଧାରଣ ଲୋକମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ସିଲ୍ କରି ତଲାସି ଅଭିଯାନ ଆରମ୍ଭ କରିଛି। ଆହତମାନଙ୍କୁ ସଇଦୁ ଶରିଫ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇନାହିଁ। ତେବେ ନିକଟ ଅତୀତରେ ଖାଇବର ପଖତୁନଖ୍ୱାରେ ତେହରିକ-ଇ-ତାଲିବାନ ପାକିସ୍ତାନ (TTP) ସହ ଜଡିତ ଆତଙ୍କବାଦୀ ହିଂସା ବଢ଼ୁଥିବାରୁ ଏହି ଆକ୍ରମଣ ପଛରେ ସେହି ଗୋଷ୍ଠୀର ସମ୍ଭାବ୍ୟ ସମ୍ପୃକ୍ତିକୁ ନେଇ ସୁରକ୍ଷା ଏଜେନ୍ସିମାନେ ତଦନ୍ତ ଚଳାଇଛନ୍ତି।ଘଟଣାକୁ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରି, ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଏବଂ ଗୃହମନ୍ତ୍ରୀ ମୋହସିନ ନକଭି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଦୋଷୀଙ୍କୁ ଶୀଘ୍ର ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପୁଣିଥରେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ସାମ୍ନାକୁ ଆଣିଛି। ଶାନ୍ତିର ବାର୍ତ୍ତା ଦେବାକୁ ଏକାଠି ହୋଇଥିବା ଲୋକଙ୍କ ଉପରେ ଏଭଳି ଆକ୍ରମଣ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚିନ୍ତା ବଢ଼ାଇଛି।















Leave a Reply