ଅକ୍ଷର ବ୍ୟୁରୋ: ଆମେରିକା ଓ ଇରାନ ମଧ୍ୟରେ ପୁଣି ବଢ଼ିଛି ତିକ୍ତତା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହେରାନ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରେ, ତେବେ ଆମେରିକା ପୂର୍ବରୁ ହିଁ ଇରାନ ବିରୋଧରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇସାରିଛି। ଟ୍ରମ୍ପଙ୍କ ଦାବି ଅନୁଯାୟୀ, ‘୧,୦୦୦ କ୍ଷେପଣାସ୍ତ୍ର ଲକ୍ଡ୍ ଏବଂ ଲୋଡ୍ ଅବସ୍ଥାରେ ଇରାନ ଆଡ଼କୁ ପ୍ରସ୍ତୁତ ରହିଛି।’
ଟ୍ରମ୍ପ କହିଛନ୍ତି, ସେ ବହୁ ବର୍ଷ ଧରି ଇରାନର ହିଟ୍ ଲିଷ୍ଟରେ ଶୀର୍ଷରେ ରହିଆସୁଛନ୍ତି। ତାଙ୍କୁ ହତ୍ୟା କରିବା ପାଇଁ ଇରାନର କୌଣସି ନୂଆ ଯୋଜନା ରହିଛି କି ନାହିଁ ବୋଲି ପଚରାଯିବାରୁ ସେ କହିଥିଲେ ଯେ, ଏହା କୌଣସି ନୂଆ ବିଷୟ ନୁହେଁ, ବରଂ ବର୍ଷେ ଧରି ଇରାନ ତାଙ୍କୁ ଟାର୍ଗେଟ କରିଆସୁଛି।
ସମ୍ପ୍ରତି ଇସ୍ରାଏଲ ପକ୍ଷରୁ ଟ୍ରମ୍ପ ଇରାନର ହିଟ୍ ଲିଷ୍ଟରେ ଥିବା ନେଇ ଗୁପ୍ତଚର ସୂଚନା ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଟ୍ରମ୍ପ ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ଇସ୍ରାଏଲ ତାଙ୍କୁ ଏଭଳି କୌଣସି ସୂଚନା ଦେଇନାହିଁ। ସେ କହିଛନ୍ତି, “ମୁଁ ବହୁତ ଦିନ ଧରି ଇରାନର ହତ୍ୟା ତାଲିକାରେ ନମ୍ବର-୧ ଟାର୍ଗେଟ ରହିଆସିଛି, ଏହା ମୋ ଜୀବନର ଏକ ଅଂଶ ହୋଇଯାଇଛି।” ଭାଷଣ ସମୟରେ ଟ୍ରମ୍ପ ଭାବପ୍ରବଣ ହୋଇ କହିଥିଲେ, “ଦିନେ ମୁଁ ମଧ୍ୟ ଚାଲିଯିବି। ମୁଁ ଆଶା କରୁଛି, ତୁମେ ମୋତେ ମନେ ପକାଇବ।” ତାଙ୍କ ଏହି ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଟ୍ରମ୍ପଙ୍କ କହିବା ଅନୁଯାୟୀ, ୨୦୨୦ ମସିହାରେ ଇରାନର ଶୀର୍ଷ ସାମରିକ କମାଣ୍ଡର କାସେମ ସୋଲେମାନୀଙ୍କୁ ହତ୍ୟା କରିବା ପାଇଁ ସେ ଆମେରିକୀୟ ଆକ୍ରମଣର ନିର୍ଦ୍ଦେଶ ଦେବା ପରଠାରୁ ସେ ଇରାନର ପ୍ରମୁଖ ଟାର୍ଗେଟ ହୋଇ ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଇରାନର ନେତୃତ୍ୱରେ ବାରମ୍ବାର ପରିବର୍ତ୍ତନ ଘଟୁଥିଲେ ମଧ୍ୟ ତାଙ୍କ ପ୍ରତି ବିପଦ କମିନାହିଁ।
ଏହାଛଡ଼ା ଟ୍ରମ୍ପ କହିଛନ୍ତି ଯେ, ନାଟୋ ସମ୍ମିଳନୀ ପରେ ଆମେରିକା ଫେରିବା ସମୟରେ ସେ ନିଜର ଯାତ୍ରା ଯୋଜନାରେ ପରିବର୍ତ୍ତନ କରିଥିଲେ। ପରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଥିଲା ଯେ, ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଏକ ରଣନୈତିକ ପଦକ୍ଷେପ ଥିଲା। ଟ୍ରମ୍ପଙ୍କ ଏହି ବୟାନ ପରେ ଆମେରିକା-ଇରାନ ସମ୍ପର୍କକୁ ନେଇ ପୁଣି ଥରେ ଆନ୍ତର୍ଜାତିକ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।














Leave a Reply