ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା ! ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଘନଘନ ଏୟାରଷ୍ଟ୍ରାଇକ୍‌ରେ କମ୍ପିଲା ଅଞ୍ଚଳ

ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ଘନଘଟା ଦେଖିବାକୁ ମିଳିଛି। ଇରାନ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହର୍ମୁଜ ପ୍ରଣାଳୀକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିଦେଇଥିବା ଘୋଷଣା କରିବା ପରେ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି। ଏହି ପଦକ୍ଷେପ ପରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ମୁକାବିଲା ଆହୁରି ତୀବ୍ର ହୋଇଥିବା ବେଳେ, ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଚଳିତ ସପ୍ତାହରେ ଇରାନ ଉପରେ ତୃତୀୟ ପର୍ଯ୍ୟାୟର ବଡ଼ ଏୟାରଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ଦାବି କରିଛି ଯେ, ସାଇପ୍ରସ ପତାକାଧାରୀ ବାଣିଜ୍ୟିକ ଜାହାଜ MV GFS Galaxy ନିଜର ଟ୍ରାକିଂ ସିଷ୍ଟମ ବନ୍ଦ କରି ନିର୍ଦ୍ଧାରିତ ସମୁଦ୍ର ପଥ ଛାଡ଼ି ଅନ୍ୟ ରୁଟ୍‌ରେ ଯାଉଥିଲା। ବାରମ୍ବାର ଚେତାବନୀ ସତ୍ତ୍ୱେ ନିର୍ଦ୍ଦେଶ ନ ମାନିବାରୁ ଜାହାଜ ଉପରେ କ୍ରୁଜ୍ ମିସାଇଲ ଆକ୍ରମଣ କରାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି।

ଏହି ଆକ୍ରମଣରେ ଜାହାଜର ଇଞ୍ଜିନ୍ ରୁମ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବ୍ରିଟେନର ୟୁକେ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ସୂଚନା ଅନୁସାରେ ଜାହାଜରେ ନିଆଁ ଲାଗିଯିବା ପରେ କ୍ରୁ ସଦସ୍ୟମାନେ ଲାଇଫ୍ ବୋଟ୍ ସାହାଯ୍ୟରେ ପ୍ରାଣ ବଞ୍ଚାଇ ପଳାଇଥିଲେ। ତେବେ ଜଣେ କ୍ରୁ ସଦସ୍ୟ ଏବେ ବି ନିଖୋଜ ଥିବା ସୂଚନା ମିଳିଛି। ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ପକ୍ଷରୁ ଇରାନର ବିଭିନ୍ନ ସାମରିକ ଠିକଣା ଉପରେ ଜୋରଦାର ପାଲଟା ଏୟାରଷ୍ଟ୍ରାଇକ୍ କରାଯାଇଛି। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି କହିଛନ୍ତି, “ଇରାନ ଭୁଲ ନିଷ୍ପତ୍ତି ନେଇଛି, ଏହାର ପରିଣାମ ଭୋଗିବାକୁ ପଡ଼ିବ।”

ସୂଚନା ଅନୁସାରେ, ଚଳିତ ସପ୍ତାହ ଆରମ୍ଭରେ ତିନିଟି ବାଣିଜ୍ୟିକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ସାମରିକ ସଂଘର୍ଷ ତୀବ୍ର ହୋଇଥିଲା। ଇରାନର ଦାବି ଅନୁସାରେ, ଆମେରିକାର ପୂର୍ବ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୫ ଜଣ ଆହତ ହୋଇଛନ୍ତି। ଏହାର ଜବାବରେ ଇରାନ ମଧ୍ୟ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସହଯୋଗୀ ଦେଶ ଓ ସାମରିକ ସ୍ୱାର୍ଥକୁ ଟାର୍ଗେଟ କରିଥିବା ଦାବି କରିଛି। ଇରାନ ଚେତାବନୀ ଦେଇଛି ଯେ, ହର୍ମୁଜ ପ୍ରଣାଳୀ ବନ୍ଦ ଥିବା ସମୟରେ ଆମେରିକା ପକ୍ଷରୁ ଆଉ କୌଣସି ଆକ୍ରମଣ ହେଲେ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ସିଧାସଳଖ ଟାର୍ଗେଟ କରାଯିବ।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟାକ୍-ଚ୍ୟାନେଲ କୂଟନୀତିକ ଆଲୋଚନା ଜାରି ରଖିଥିଲେ ମଧ୍ୟ, ସଦ୍ୟ ଘଟଣା ପରେ ପୂର୍ବରୁ ଥିବା ଅସ୍ତ୍ରବିରତି ବ୍ୟବସ୍ଥା ପ୍ରାୟତଃ ଭାଙ୍ଗିଯାଇଥିବା ସଙ୍କେତ ମିଳିଛି। ସୂତ୍ର ଅନୁସାରେ, ଇରାନ ଏହି ଘଟଣାକୁ ଆଭ୍ୟନ୍ତରୀଣ ଗୋଷ୍ଠୀର ‘ଭୁଲ୍’ ବୋଲି ଦର୍ଶାଇ ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ଏବେ ଟଳିନାହିଁ। ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଭାବେ ପରିଚିତ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଫଳରେ ଆନ୍ତର୍ଜାତିକ ତୈଳ ବଜାର, ସାମୁଦ୍ରିକ ବାଣିଜ୍ୟ ଏବଂ ବିଶ୍ୱ ଅର୍ଥନୀତି ଉପରେ ଏହାର ବଡ଼ ପ୍ରଭାବ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)