ସହରସା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ: ପାସେଞ୍ଜର ଟ୍ରେନର ଇଞ୍ଜିନରୁ ଲାଗିଲା ନିଆଁ, ୩ କୋଚକୁ ବ୍ୟାପିଲା ଅଗ୍ନି

ଅକ୍ଷର ବ୍ୟୁରୋ: ବିହାରର ସହରସା ଜିଲ୍ଲାର ସିମରୀ ବଖତିୟାରପୁର ରେଳ ଷ୍ଟେସନରେ ସୋମବାର ଭୋରେ ଏକ ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟି ବଡ଼ ଧରଣର ଆତଙ୍କ ସୃଷ୍ଟି ହୋଇଛି। ସମସ୍ତିପୁର-ସହରସା ପାସେଞ୍ଜର ଟ୍ରେନ (ଟ୍ରେନ ନଂ ୬୩୩୪୪) ପ୍ଲାଟଫର୍ମ ନମ୍ବର-୨ରେ ଅଟକି ରହିଥିବା ବେଳେ ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇ ଇଞ୍ଜିନରୁ ତିନୋଟି କୋଚକୁ ବ୍ୟାପିଯାଇଥିଲା। ଘଟଣାଟି ଭୋର ପ୍ରାୟ ୩.୩୦ଟା ସମୟରେ ଘଟିଥିଲା। ଟ୍ରେନରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ଷ୍ଟେସନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ହଠାତ୍ ଆତଙ୍କ ଖେଳିଯାଇଥିଲା। ପ୍ରାଣ ବଞ୍ଚାଇବା ପାଇଁ ଯାତ୍ରୀମାନେ କୋଚରୁ ବାହାରକୁ ଦୌଡ଼ିଥିବା ବେଳେ ଷ୍ଟେସନ ପରିସରରେ କିଛି ସମୟ ପାଇଁ ଅସ୍ତବ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣାର ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ନିର୍ବାପନ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ଅଗ୍ନିକାଣ୍ଡ ପରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୋଚରୁ ବାହାର କରାଯାଇଥିଲା। ସବୁଠୁ ବଡ଼ କଥା ହେଲା, ଏତେ ବଡ଼ ଅଗ୍ନିକାଣ୍ଡ ସତ୍ତ୍ୱେ କୌଣସି ଯାତ୍ରୀଙ୍କ ମୃତ୍ୟୁ କିମ୍ବା ଆହତ ହେବାର ଖବର ମିଳିନାହିଁ। ଦମକଳ କର୍ମଚାରୀ ଓ ରେଳ କର୍ତ୍ତୃପକ୍ଷଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।

ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରେଳ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ବୈଷୟିକ ଟିମ୍ ଅଗ୍ନିକାଣ୍ଡର ସଠିକ୍ କାରଣ ଖୋଜୁଛି। ଏହି ଘଟଣା ପରେ କିଛି ସମୟ ପାଇଁ ସିମରୀ ବଖତିୟାରପୁର ରେଳ ଷ୍ଟେସନରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ପରେ ପରିସ୍ଥିତି ସ୍ୱାଭାବିକ ହେବା ସହ ରେଳ ସେବାକୁ ପୁନର୍ବାର ଚାଲୁ କରାଯାଇଥିଲା। ଘଟଣାକୁ ନେଇ ରେଳ ସୁରକ୍ଷା ବ୍ୟବସ୍ଥା ଓ ଟ୍ରେନର ବୈଷୟିକ ରକ୍ଷଣାବେକ୍ଷଣ ଉପରେ ପୁଣିଥରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial