ଜାତୀୟ ରାଜପଥରେ ଭୟଙ୍କର ଧକ୍କା! ରାସ୍ତାକଡ଼ରେ ଛିଡ଼ା ଟ୍ରକକୁ ପିଟିଲା ଘରୋଇ ବସ୍, ଡ୍ରାଇଭର-ହେଲପର ଗୁରୁତର

ଅକ୍ଷର ବ୍ୟୁରୋ: ଜାତୀୟ ରାଜପଥ-୧୬ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡ଼ିଖାଳ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଘରୋଇ ବସ୍ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେଇଛି। ଏହି ଭୟଙ୍କର ଧକ୍କାରେ ବସ୍‌ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିବାବେଳେ ବସ୍‌ର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଘରୋଇ ବସ୍‌ଟି ଚେନ୍ନାଇରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଆଜି ସକାଳେ ଗୁଡ଼ିଖାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ଟି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାର ତୀବ୍ରତା ଏପରି ଥିଲା ଯେ ବସ୍‌ର ସମ୍ପୂର୍ଣ୍ଣ ଆଗ ଭାଗ ଭାଙ୍ଗି ଚୂରମାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ବସ୍‌ର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବାବେଳେ, ସୌଭାଗ୍ୟବଶତଃ ବସ୍‌ରେ ଅନ୍ୟ କୌଣସି ଯାତ୍ରୀ ନଥିବାରୁ ବଡ଼ ଧରଣର ଜନହାନି ଟଳିଯାଇଛି।

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ବସ୍ତା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପରେ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ବସ୍‌ଟି କିପରି ନିୟନ୍ତ୍ରଣ ହରାଇଲା ଓ ଟ୍ରକଟି କେଉଁ ପରିସ୍ଥିତିରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)