ଅମରନାଥ ଯାତ୍ରାବେଳେ ଅଘଟଣ; ଜମ୍ମୁ-ଶ୍ରୀନଗର ରାଜପଥରେ ଦୁର୍ଘଟଣାଗ୍ରସ୍ତ କାର୍, ୫ ଆହତ

ଅକ୍ଷର ବ୍ୟୁରୋ: ଚଳିତ ଅମରନାଥ ଯାତ୍ରା ମଧ୍ୟରେ ଏକ ଅଘଟଣ ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ପହଲଗାମ ଅଭିମୁଖେ ଯାଉଥିବା ଏକ କାର୍ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ (NH-44) ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ପହଲଗାମ ଅଭିମୁଖେ ଏକ କାରରେ ଯାତ୍ରା କରୁଥିଲେ। ଉଧମପୁର ଜିଲ୍ଲାର ସମରୋଲି ଅଞ୍ଚଳସ୍ଥିତ ଟୋଲଡି ନାଲା ନିକଟରେ କାର୍‌ଟି ହଠାତ୍ ନିୟନ୍ତ୍ରଣ ହରାଇ NH-44ର ସୁରକ୍ଷା କାନ୍ଥରେ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ୫ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି।

ଅନ୍ୟପଟେ, ଅମରନାଥ ଯାତ୍ରାକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ CRPF ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରା ମାର୍ଗରେ NH-44ରେ ନିରନ୍ତର Road Opening Party (ROP) ଅପରେସନ୍ ଚାଲିଥିବା ବେଳେ ଯାତ୍ରୀଙ୍କ ନିରାପଦ ଯାତାୟାତ ଉପରେ କଡ଼ା ନଜର ରଖାଯାଉଛି। ଏହାସହ CRPFର ୮୪ତମ ବାଟାଲିୟନ ପକ୍ଷରୁ ରାମବାନ ଜିଲ୍ଲାର ଚନ୍ଦରକୋଟରେ ଏକ ମୋବାଇଲ୍ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇଛି। ସେଠାରେ ତୀର୍ଥଯାତ୍ରୀଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି, ଯାହା ଯାତ୍ରା ସମୟରେ ଜରୁରୀ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial