ଅକ୍ଷର ବ୍ୟୁରୋ: ସୋସିଆଲ ମିଡିଆରେ ଗାଳିଗୁଲଜ, ଅପମାନଜନକ ଭାଷା ଏବଂ ହେଟ୍ ସ୍ପିଚ୍ ବିରୋଧରେ ଭବିଷ୍ୟତରେ ଆସିପାରେ ଏକ ନୂଆ ଦୃଷ୍ଟାନ୍ତ। ଫେସବୁକ୍, ଏକ୍ସ (ପୂର୍ବତନ ଟ୍ୱିଟର) କିମ୍ବା ଇନଷ୍ଟାଗ୍ରାମରେ ଆପତ୍ତିଜନକ ପୋଷ୍ଟ କରୁଥିବା ଲୋକଙ୍କୁ ଜେଲ୍ ପଠାଇବା ବଦଳରେ ସାମୁଦାୟିକ ସେବା କରାଇବା ପାଇଁ ଦାୟର ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ଏହି ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଅନେକ ସମୟରେ ଅଶ୍ଳୀଳ ଭାଷା, ଗାଳିଗୁଲଜ ଏବଂ ହେଟ୍ ସ୍ପିଚ୍ର ମଞ୍ଚ ପାଲଟିଯାଇଛି। ଏହି ପ୍ରବୃତ୍ତିକୁ ରୋକିବା ଏବଂ ବିଶେଷକରି ଯୁବପିଢ଼ିଙ୍କୁ ସଠିକ୍ ପଥରେ ଆଣିବା ପାଇଁ ସାମୁଦାୟିକ ସେବାକୁ ବିକଳ୍ପ ଦଣ୍ଡ ଭାବେ ଗ୍ରହଣ କରିବାକୁ ଦାବି କରାଯାଇଛି।
ଏହି ମାମଲାର ପୃଷ୍ଠଭୂମି ନିଟ୍ (NEET) ପରୀକ୍ଷାରେ ଅନିୟମିତତାକୁ ନେଇ ହୋଇଥିବା ଆନ୍ଦୋଳନ ସହ ଜଡିତ। ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ ଆୟୋଜିତ ‘ସଂସଦ ମାର୍ଚ୍ଚ’ ସମୟରେ କେତେକ ଯୁବକ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ, ଅପମାନଜନକ ଭିଡିଓ ଓ ପୋଷ୍ଟ ସେୟାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଛନ୍ତି। ଆବେଦନରେ କୁହାଯାଇଛି ଯେ, ଆନ୍ଦୋଳନର କିଛି ଆୟୋଜକ ନିଜ ସ୍ୱାର୍ଥ ପାଇଁ ଯୁବପିଢ଼ିଙ୍କୁ ଉସୁକାଉଛନ୍ତି, ଫଳରେ ସେମାନେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ କରି ଆଇନର ଜାଲରେ ଫସିଯାଉଛନ୍ତି। ଶୁଣାଣି ବେଳେ ଯାଚିକାକର୍ତ୍ତାଙ୍କ ପକ୍ଷରୁ ଓକିଲ ଯୁକ୍ତି ରଖି କହିଥିଲେ, ସୋସିଆଲ ମିଡିଆରେ ଭୁଲ୍ କରିଥିବା ପ୍ରତ୍ୟେକ ଯୁବକଙ୍କ ବିରୋଧରେ FIR ରୁଜୁ କଲେ ସେମାନଙ୍କ ଭବିଷ୍ୟତ ଓ କ୍ୟାରିୟର ସ୍ଥାୟୀ ଭାବେ ପ୍ରଭାବିତ ହୋଇପାରେ। ତେଣୁ ସେମାନଙ୍କୁ ଅପରାଧୀ କରିବା ପରିବର୍ତ୍ତେ ସମାଜ ପ୍ରତି ଦାୟିତ୍ୱବାନ କରିବା ଉଚିତ।
ଏହି ଆବେଦନରେ ପ୍ରସ୍ତାବ ଦିଆଯାଇଛି ଯେ, ଏଭଳି ଅଭିଯୁକ୍ତଙ୍କୁ ଅତି କମରେ ଏକ ସପ୍ତାହ ପାଇଁ ରାସ୍ତା ସଫେଇ, ବୃଦ୍ଧାଶ୍ରମରେ ସେବା, ଗରିବ ଓ ଅସହାୟଙ୍କ ସହାୟତା କିମ୍ବା ଅନ୍ୟାନ୍ୟ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ନିୟୋଜିତ କରାଯାଉ। ଏହାଦ୍ୱାରା ସେମାନଙ୍କ ଚରିତ୍ର ଗଠନ ହେବା ସହ ସୋସିଆଲ ମିଡିଆର ଅପବ୍ୟବହାର ମଧ୍ୟ କମିବ ବୋଲି ଯୁକ୍ତି ଦିଆଯାଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ଶୁଣାଣି ପାଇଁ ଆସନ୍ତା ବୁଧବାର ଦିନ ଧାର୍ଯ୍ୟ କରିଛନ୍ତି। ସୋସିଆଲ ମିଡିଆରେ ବଢ଼ୁଥିବା ହେଟ୍ ସ୍ପିଚ୍ ଓ ଅଶାଳୀନ ଆଚରଣ ସାମାଜିକ ଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହି ମାମଲାକୁ ଗୁରୁତ୍ୱର ସହ ଦେଖାଯାଉଛି। ଯଦି ସୁପ୍ରିମକୋର୍ଟ ଏହି ଆବେଦନ ଉପରେ କୌଣସି ନିର୍ଦ୍ଦେଶ ଜାରି କରନ୍ତି, ତେବେ ଭାରତରେ ସୋସିଆଲ ମିଡିଆ ଅପରାଧର ମୁକାବିଲା ପାଇଁ ଦଣ୍ଡ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ। ଏହା ସୋସିଆଲ ମିଡିଆରେ ସ୍ୱାଧୀନ ମତ ପ୍ରକାଶ ନାଁରେ ଅନ୍ୟଙ୍କୁ ଅପମାନିତ କରୁଥିବା ଲୋକଙ୍କ ପାଇଁ ଏକ ସତର୍କ ସଙ୍କେତ ହୋଇପାରେ। ଏବେ ସମଗ୍ର ଦେଶର ନଜର ରହିଛି ଆସନ୍ତା ବୁଧବାରର ଶୁଣାଣି ଉପରେ।














Leave a Reply