ଜୁଡ଼ିଆ ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ; ଜାତୀୟ ରାଜପଥରେ ବିଛାଡ଼ି ହେଲା ଶହ ଶହ କିଲୋ ପିଆଜ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟି ନିକଟରେ ଘଟିଛି ଏକ ବଡ଼ ସଡ଼କ ଦୁର୍ଘଟଣା। ନାସିକରୁ ପିଆଜ ବୋଝେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଟ୍ରକ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଶହ ଶହ କିଲୋ ପିଆଜ ବିଛାଡ଼ି ହୋଇଯାଇଥିବାବେଳେ କିଛି ସମୟ ପାଇଁ ଯାତାୟାତ ବ୍ୟାହତ ହୋଇଥିଲା।

ସୂଚନା ଅନୁସାରେ, ମହାରାଷ୍ଟ୍ରର ନାସିକରୁ ପଶ୍ଚିମବଙ୍ଗକୁ ପିଆଜ ନେଇ ଯାଉଥିବା ଟ୍ରକଟି ବିଳମ୍ବିତ ରାତିରେ ଜୁଡ଼ିଆ ଘାଟି ନିକଟରେ ପହଞ୍ଚିଥିବା ବେଳେ ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାଟି ଭୟଙ୍କର ଥିଲେ ମଧ୍ୟ ସୌଭାଗ୍ୟବଶତଃ ଡ୍ରାଇଭରଙ୍କ ସମେତ କାହାରି କୌଣସି ଜୀବନହାନି କିମ୍ବା ଆଘାତ ହୋଇନାହିଁ। ଟ୍ରକ ଚାଳକ ସୁରକ୍ଷିତ ଥିବା ସୂଚନା ମିଳିଛି।

ଟ୍ରକ ଓଲଟିବା ପରେ ଗାଡ଼ିରେ ଥିବା ଶହ ଶହ କିଲୋ ପିଆଜ ଜାତୀୟ ରାଜପଥ ଉପରେ ବିଛାଡ଼ି ହୋଇପଡ଼ିଥିଲା। ଅନେକ ପିଆଜ ଗାଡ଼ି ଚକା ତଳେ ପଡ଼ି ନଷ୍ଟ ହୋଇଯାଇଥିବାବେଳେ, ସକାଳେ ଅବଶିଷ୍ଟ ପିଆଜ ସ୍ଥାନୀୟ ଲୋକେ ସଂଗ୍ରହ କରି ନେଇଥିବା ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣା ପରେ ୪୯ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଓ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାସ୍ତା ସଫା କରାଯିବା ସହ ଯାତାୟାତ ସ୍ୱାଭାବିକ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)