ଅକ୍ଷର ବ୍ୟୁରୋ: ବ୍ରହ୍ମପୁରର ବହୁଚର୍ଚ୍ଚିତ ଘଟଣାର ଏକ ଦୁଃଖଦ ପରିସମାପ୍ତି ଘଟିଛି। ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କର ଶେଷରେ ମୃତ୍ୟୁ ଘଟିଛି। ଏହି ଘଟଣା ପୁଣିଥରେ ପରିବାରିକ ନିର୍ଯାତନା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି।
ସୂଚନା ଅନୁସାରେ, ଦୁଇ ଦିନ ପୂର୍ବେ ଯୁବତୀ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଦଗ୍ଧ ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଉନ୍ନତ ଚିକିତ୍ସା ପାଇଁ ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁଇ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପୂର୍ବରୁ ପୀଡ଼ିତା ନିଜ ବାପାଙ୍କ ବିରୋଧରେ ନିର୍ଯାତନା ଦେଉଥିବା ଗୁରୁତର ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ବାପାଙ୍କୁ ପୁଲିସ ଗିରଫ କରିଛି।
ପୀଡ଼ିତାଙ୍କ ମୃତ୍ୟୁ ପରେ ମାମଲାର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ପୁଲିସ ଏବେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜୋରଦାର କରିଥିବା ବେଳେ, ଅଭିଯୋଗର ସତ୍ୟତା, ନିର୍ଯାତନାର ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ଖୋଜିବାରେ ଲାଗିଛି। ଏହି ହୃଦୟବିଦାରକ ଘଟଣା ପରେ ବ୍ରହ୍ମପୁର ସମେତ ସମଗ୍ର ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି ହୋଇଛି। ଏବେ ସମସ୍ତଙ୍କ ନଜର ପୁଲିସର ତଦନ୍ତ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି।
















Leave a Reply