ଅକ୍ଷର ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ନେହେନାବନ୍ଧ ଗାଁରୁ ଆସିଛି ଏକ ହୃଦୟବିଦାରକ ଏବଂ ମାନବିକତାର ଉଜ୍ଜ୍ୱଳ ଉଦାହରଣ ପାଲଟିଥିବା ଘଟଣା। ପ୍ରେମ ବିବାହ ପାଇଁ ପରିବାର ଓ ସମାଜରୁ ଦୂରେଇ ନୂଆ ଜୀବନ ଆରମ୍ଭ କରିଥିବା ଜଣେ ଦମ୍ପତିଙ୍କ ସଂସାର ଶେଷରେ ଏକ ଦୁଃଖଦ ମୋଡ଼ ନେଇଛି। ଗର୍ଭପାତ ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ, ମୃତ୍ୟୁର ୧୪ ଘଣ୍ଟା ପରେ ମଧ୍ୟ ଶବ ସତ୍କାର ପାଇଁ ପରିବାରର କେହି ନଆସିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ସୂଚନା ଅନୁସାରେ, ରାୟଗଡ଼ା ଅଞ୍ଚଳର ରାଉଲ ଛତ୍ରିଆ ପାଟଣାଗଡ଼ ଅଞ୍ଚଳର ବିମଳା ଛତ୍ରିଆଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଏହି ବିବାହକୁ ଉଭୟ ପରିବାର ଗ୍ରହଣ କରିନଥିବାରୁ ଦୁହେଁ ପରିବାରଠାରୁ ଦୂରେଇ ପାଟଣାଗଡ଼ର ନେହେନାବନ୍ଧ ଗାଁରେ ଜମି କିଣି ଘର କରି ନୂଆ ସଂସାର ଗଢ଼ିଥିଲେ। ବିବାହ ପରେ ସେମାନଙ୍କ ଜୀବନ ସ୍ୱାଭାବିକ ଭାବେ ଚାଲୁଥିବା ବେଳେ ବିମଳା ଗର୍ଭବତୀ ହୋଇଥିଲେ।
କିନ୍ତୁ ଗର୍ଭଧାରଣର ପ୍ରାୟ ଚାରି ମାସ ପରେ ବିମଳାଙ୍କର ଗର୍ଭପାତ ହୋଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଥିଲା। ପ୍ରଥମେ ପାଟଣାଗଡ଼ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଘଟଣାର ସବୁଠାରୁ ମର୍ମନ୍ତୁଦ ଦିଗ ହେଉଛି, ବିମଳାଙ୍କ ମୃତ୍ୟୁ ପରେ ମଧ୍ୟ ଉଭୟ ପରିବାରର କୌଣସି ସଦସ୍ୟ ଶେଷକୃତ୍ୟ ପାଇଁ ଆସିନଥିଲେ। ଏପରିକି ଜାତିଭାଇମାନେ ମଧ୍ୟ ମୁହଁ ଫେରାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୪ ଘଣ୍ଟା ଧରି ମୃତଦେହ ଅସହାୟ ଅବସ୍ଥାରେ ପଡ଼ି ରହିଥିଲା, ଯାହା ସମଗ୍ର ଅଞ୍ଚଳରେ ଗଭୀର ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଖବର ପାଇବା ପରେ ଯୋଗିମୁଣ୍ଡାର କୃଷକ ନେତା ଜତି ପାଧାନଙ୍କ ନେତୃତ୍ୱରେ କିଛି ସମାଜସେବୀ ଆଗକୁ ଆସିଥିଲେ। ସେମାନେ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରି ବିମଳାଙ୍କ ମୃତଦେହକୁ ସମ୍ମାନର ସହିତ ଶେଷକୃତ୍ୟ କରିଥିଲେ। ରକ୍ତ ସମ୍ପର୍କ ନଥିଲେ ମଧ୍ୟ ମାନବିକତାର ପରିଚୟ ଦେଇ ସେମାନେ ଯେପରି ଆଗକୁ ଆସିଥିଲେ, ତାହାକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି।
ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖଦ କାହାଣୀ ନୁହେଁ, ବରଂ ସମାଜ ପାଇଁ ଏକ ବଡ଼ ପ୍ରଶ୍ନ ମଧ୍ୟ ଛାଡ଼ି ଯାଇଛି। ପ୍ରେମ ବିବାହ କରିଥିବାରୁ କି ଜଣେ ମଣିଷ ପରିବାର ଓ ସମାଜର ସମସ୍ତ ସମ୍ପର୍କରୁ ବଞ୍ଚିତ ହେବ? ମୃତ୍ୟୁ ପରେ ମଧ୍ୟ କି ଜଣେ ମଣିଷ ଶେଷ ସମ୍ମାନ ପାଇବାର ଅଧିକାର ହରାଇଦେବ? ଏହି ପ୍ରଶ୍ନର ଉତ୍ତର ସମାଜକୁ ଖୋଜିବାକୁ ପଡ଼ିବ।
















Leave a Reply