ଅକ୍ଷର ବ୍ୟୁରୋ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଏବଂ ସୁଚାରୁ ପରିଚାଳନା ପାଇଁ କର୍ତ୍ତବ୍ୟରତ ଥିବା କେନ୍ଦୁଝର ଜିଲ୍ଲାର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ଅକାଳ ବିୟୋଗ ସମଗ୍ର ରାଜ୍ୟକୁ ଶୋକାକୁଳ କରିଛି। କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିବା ପରେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାର ପାଇଁ ବଡ଼ ସହାୟତା ଘୋଷଣା କରାଯାଇଛି।
ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। କେବଳ ଆର୍ଥିକ ସହାୟତା ନୁହେଁ, ମୃତ ହୋମଗାର୍ଡଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ଦେବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପରିବାରର ଭବିଷ୍ୟତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଥିବା ଜଣାପଡ଼ିଛି।
ରଥଯାତ୍ରା ଭଳି ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁକୁ ନେଇ ସହକର୍ମୀ, ପ୍ରଶାସନ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ସେବାଭାବକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ଏହି ସହାୟତା ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।
















Leave a Reply