ଅକ୍ଷର ବ୍ୟୁରୋ: କାନାଡାର ସବୁଠାରୁ ବଡ଼ ସହର ଟୋରଣ୍ଟୋରେ ଏକ ଜନଗହଳିପୂର୍ଣ୍ଣ ଷ୍ଟ୍ରିଟ୍ ଫେଷ୍ଟିଭାଲ ସମୟରେ ଘଟିଛି ଭୟାବହ ଗୁଳିକାଣ୍ଡ। ଲୋକଙ୍କ ଭିଡ଼ ଭିତରେ ହୋଇଥିବା ଏହି ଅତର୍କିତ ଗୁଳିବର୍ଷାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ଟୋରଣ୍ଟୋ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁସାରେ, ଟୋରଣ୍ଟୋରେ ପ୍ରସିଦ୍ଧ ଲାଟିନୋ ସାଂସ୍କୃତିକ ମହୋତ୍ସବ ‘ସାଲସା ଅନ୍ ସେଣ୍ଟ କ୍ଲେୟାର’ (Salsa on St. Clair) ଚାଲିଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ସେଣ୍ଟ କ୍ଲେୟାର ଆଭେନ୍ୟୁ ୱେଷ୍ଟ ଓ ଆର୍ଲିଙ୍ଗଟନ୍ ଆଭେନ୍ୟୁ ନିକଟରେ ହଠାତ୍ ଗୁଳିର ଶବ୍ଦ ଶୁଣିବା ପରେ ଉତ୍ସବରେ ସାମିଲ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ଘଟଣାସ୍ଥଳରେ ମୋଟ ୬ ଜଣ ଗୁଳିବିଦ୍ଧ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଖବର ପାଇବା ମାତ୍ରେ ଟୋରଣ୍ଟୋ ପୋଲିସ, ଜରୁରୀକାଳୀନ ସେବା ଟିମ୍ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଇଥିଲେ। ପୋଲିସ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କୁ ଗୁଳିକାଣ୍ଡ ଘଟିଥିବା ସ୍ଥାନଠାରୁ ଦୂରେଇ ରହିବାକୁ ଅପିଲ୍ କରିଥିଲା। ଟୋରଣ୍ଟୋ ପୋଲିସର ସୂଚନା ଅନୁସାରେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଗୁଳିକାଣ୍ଡ ପଛରେ ଥିବା ସନ୍ଦିଗ୍ଧ କିମ୍ବା ସନ୍ଦିଗ୍ଧମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଅଭିଯୁକ୍ତଙ୍କ ସନ୍ଧାନ ପାଇଁ ସିସିଟିଭି ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଫରେନସିକ୍ ପ୍ରମାଣ ଆଧାରରେ ତଦନ୍ତ ଜୋରଦାର କରାଯାଇଛି।
ଘଟଣା ପରେ ‘ସାଲସା ଅନ୍ ସେଣ୍ଟ କ୍ଲେୟାର’ ଉତ୍ସବ ପରିସର ଏବଂ ଆଖପାଖ ଅଞ୍ଚଳରେ କଡ଼ା ପୋଲିସ ମୁତୟନ କରାଯାଇଛି। ଅତିରିକ୍ତ ସୁରକ୍ଷା ବଳ ମୁତୟନ ସହ ସମଗ୍ର ଅଞ୍ଚଳକୁ ସିଲ୍ କରି ତଲାସି ଅଭିଯାନ ଜାରି ରହିଛି। ଏହି ଗୁଳିକାଣ୍ଡର ପ୍ରକୃତ କାରଣ କ’ଣ, ଏହା ପଛରେ ବ୍ୟକ୍ତିଗତ ଶତ୍ରୁତା ନା ସଂଗଠିତ ଅପରାଧୀ ଚକ୍ରର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ କାନାଡାରେ ସାର୍ବଜନୀନ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।












Leave a Reply