ଅକ୍ଷର ବ୍ୟୁରୋ: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ନିଶାଦ୍ରବ୍ୟର ବ୍ୟବହାର ରୋକିବା, ଯୁବପିଢ଼ିଙ୍କୁ ସଚେତନ କରିବା, ନିଶାଗ୍ରସ୍ତଙ୍କ ଚିକିତ୍ସା, ପୁନର୍ବାସ ଓ ସମାଜରେ ପୁନଃ ଅନ୍ତର୍ଭୁକ୍ତିକୁ ଲକ୍ଷ୍ୟ କରି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪ କୋଟି ୬୨ ଲକ୍ଷ ଟଙ୍କାର ସଂଶୋଧିତ ରାଜ୍ୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନ୍ୟାସନାଲ ଆକ୍ସନ ପ୍ଲାନ୍ ଫର୍ ଡ୍ରଗ୍ ଡିମାଣ୍ଡ ରିଡକ୍ସନ୍ (NAPDDR) ଅଧୀନରେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି।
ଏହି ମାଷ୍ଟର ପ୍ଲାନ୍ରେ ସଚେତନତା ସୃଷ୍ଟି, ସମୁଦାୟ ଭିତ୍ତିକ ହସ୍ତକ୍ଷେପ, କ୍ଷମତା ବିକାଶ, ଚିକିତ୍ସା, ପୁନର୍ବାସ, ଗଣଯୋଗାଯୋଗ ଅଭିଯାନ ଏବଂ କାର୍ଯ୍ୟକ୍ରମର ନିରନ୍ତର ନିରୀକ୍ଷଣକୁ ପ୍ରାଥମିକତା ଦିଆଯାଇଛି। ସେଥିମଧ୍ୟରୁ କେବଳ ସଚେତନତା ଓ ପ୍ରତିଷେଧମୂଳକ କାର୍ଯ୍ୟକ୍ରମ ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ରହିଛି।
ଯୋଜନା ଅନୁସାରେ ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶାବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ପାଇଁ ‘ଗୁଡ୍ ଚଏସ୍ କ୍ଲବ୍’ ବା ଆଣ୍ଟି-ଡ୍ରଗ୍ କ୍ଲବ୍ ଗଠନ କରାଯିବ। ଏଥିସହ ପ୍ରବନ୍ଧ, ବିତର୍କ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରାଯିବ।
ରାଜ୍ୟର ୩୦ଟି ଜିଲ୍ଲାରେ ସଚେତନତା ରାଲି, ମାରାଥନ, ୱାକାଥନ ଓ ସାଇକେଲ ରାଲି ଆୟୋଜନ କରାଯିବା ସହ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜଗୁଡ଼ିକରେ ଯୁବ ସମ୍ପୃକ୍ତି କାର୍ଯ୍ୟକ୍ରମ ମଧ୍ୟ ଚାଲିବ। ନିଶା ବିରୋଧୀ ଅଭିଯାନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ ଆୟୋଜନ କରାଯିବ।
କେବଳ ସହର ନୁହେଁ, ଗ୍ରାମାଞ୍ଚଳକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ। ୩୦୦ଟି ଗ୍ରାମ ପଞ୍ଚାୟତରେ ନିଶାବିରୋଧୀ ସଚେତନତା ଅଭିଯାନ ଚାଲିବା ସହ ପ୍ରତ୍ୟେକ ଜିଲ୍ଲାରେ ୫୦ ଜଣ ଲେଖାଏଁ ‘ନଶା ମୁକ୍ତ ମିତ୍ର’ ଚୟନ କରାଯିବ। ଏଭଳି ରାଜ୍ୟବ୍ୟାପୀ ମୋଟ ୧,୫୦୦ ସ୍ୱେଚ୍ଛାସେବୀ ଲୋକଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନ କରିବାରେ ନିୟୋଜିତ ହେବେ। ଏହି କାର୍ଯ୍ୟକ୍ରମ ପାଇଁ ୭୬.୪୦ ଲକ୍ଷ ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି। ରାଜ୍ୟ ସରକାରଙ୍କ ଏହି ମାଷ୍ଟର ପ୍ଲାନ୍ର ଲକ୍ଷ୍ୟ କେବଳ ନିଶାଦ୍ରବ୍ୟ ବ୍ୟବହାରକୁ ହ୍ରାସ କରିବା ନୁହେଁ, ବରଂ ସଚେତନତା, ଚିକିତ୍ସା, ପୁନର୍ବାସ ଓ ସାମାଜିକ ସହଯୋଗ ମାଧ୍ୟମରେ ଏକ ନିଶାମୁକ୍ତ, ସୁସ୍ଥ ଓ ସଚେତନ ଓଡ଼ିଶା ଗଠନ କରିବା।















Leave a Reply