ଅକ୍ଷର ବ୍ୟୁରୋ: ଚୀନର ଜିନଜିଆଙ୍ଗ ସହରରେ ଥିବା ଏକ ଜୋତା କାରଖାନାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଅତିକମରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟରାତ୍ରିରେ ଘଟିଥିବା ଏହି ଦୁର୍ଘଟଣାରେ କାରଖାନାରେ କାମ କରୁଥିବା ଶତାଧିକ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣା ପରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଉଦ୍ଧାର ଅଭିଯାନ ଚଳାଇଥିଲେ। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୨ଟାରେ କାରଖାନାର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ୫ ମହଲା ବିଶିଷ୍ଟ କୋଠାରେ ବ୍ୟାପିଯାଇଥିଲା। ସେତେବେଳେ କାରଖାନାରେ ୨୩୭ ଜଣ ଉପସ୍ଥିତ ଥିଲେ, ଯେଉଁଥିରେ ୨ ଜଣ ପରିଦର୍ଶକ ମଧ୍ୟ ସାମିଲ ଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ୨୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ ହୋଇଛି। ଦୀର୍ଘ ୪ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲେ। ଘଟଣା ପରେ ପୋଲିସ କାରଖାନାର ମାଲିକଙ୍କୁ ଗିରଫ କରିବା ସହ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି। ଅଗ୍ନିକାଣ୍ଡର କାରଣ ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ପକ୍ଷରୁ ଏକ ମିଳିତ ବିଶେଷଜ୍ଞ ଦଳକୁ ଜିନଜିଆଙ୍ଗ ପଠାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ସରକାର ପଦକ୍ଷେପ ନେଉଥିବା ସୂଚନା ମିଳିଛି।















Leave a Reply