ରାଜଧାନୀରେ ରକ୍ତାକ୍ତ ସକାଳ; ୩ ସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨ ମୃତ, ୩ ଗୁରୁତର

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ରବିବାର ସକାଳ ରକ୍ତାକ୍ତ ହୋଇଛି। ସହରର ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ତିନୋଟି ପୃଥକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ଦୁର୍ଘଟଣା ପରେ ସହରର ସଡ଼କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି।

ସବୁଠାରୁ ମର୍ମନ୍ତୁଦ ଦୁର୍ଘଟଣା ସିଆରପିଏଫ ଛକ ଓଭରବ୍ରିଜ୍‌ ଉପରେ ଘଟିଛି। ଏକ ଦ୍ରୁତଗତି ଅଜଣା ଗାଡ଼ି ଏକ ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ସୌମ୍ୟ ରଞ୍ଜନ ମାନାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗତସିଂହପୁର ଜିଲ୍ଲାର ଜ୍ୟୋତି ରଞ୍ଜନ ସାହୁ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ରବିବାର ସକାଳେ ଉଭୟେ ବାଇକ୍‌ରେ ସିଆରପିଏଫ ଛକ ଓଭରବ୍ରିଜ୍‌ ଦେଇ ଯାଉଥିବା ସମୟରେ ଏକ ଅଜଣା ଦ୍ରୁତଗତି ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗାଡ଼ିଟି ଫେରାର ହୋଇଯାଇଥିଲା। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ସୌମ୍ୟ ରଞ୍ଜନ ମାନାଙ୍କୁ ମୃତ ଘୋଷଣା କରିଥିବା ବେଳେ ଜ୍ୟୋତି ରଞ୍ଜନ ସାହୁଙ୍କ ଚିକିତ୍ସା ଚାଲିଛି। ଫେରାର ଗାଡ଼ିର ସନ୍ଧାନ ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି।

ଅନ୍ୟପଟେ, ତମଣ୍ଡୋ ଅଞ୍ଚଳରେ ଏକ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ଜୟଦେବ ବିହାର ଓଭରବ୍ରିଜ୍‌ ଉପରେ ଘଟିଥିବା ଆଉ ଏକ ପୃଥକ ସଡ଼କ ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଗୋଟିଏ ଦିନରେ ରାଜଧାନୀରେ ପରପରି ତିନୋଟି ସଡ଼କ ଦୁର୍ଘଟଣା ଘଟିବା ପରେ ଯାନବାହନର ବେପରୁଆ ଗତି ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଚିନ୍ତା ପ୍ରକାଶ ପାଇଛି। ବିଭିନ୍ନ ଘଟଣାରେ ସମ୍ପୃକ୍ତ ଥାନା ପୁଲିସ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)