କୋରାପୁଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ୍‌ର ମୁହାଁମୁହିଁ ଧକ୍କାରେ ୨ ମୃତ, ଜଣେ ଗୁରୁତର

ଅକ୍ଷର ବ୍ୟୁରୋ: କୋରାପୁଟ ଜିଲ୍ଲାରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ୍ବ ବ୍ରିଜ୍ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ଗତ ରାତିରେ ଡଲିଆମ୍ବ ବ୍ରିଜ୍‌ ନିକଟରେ ଦୁଇଟି ବାଇକ୍‌ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ଦୁଇ ଯୁବକ ଦଶମନ୍ତପୁର ବ୍ଲକ୍‌ର ପାଲି ମାଛରା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଗୁରୁତର ଆହତ ଯୁବକ କୋରାପୁଟ ସଦର ଅଞ୍ଚଳର ମହାଦେଇପୁଟ ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି। ଖବର ପାଇ କୋରାପୁଟ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)