ଲାଲକିଲ୍ଲାକୁ ବୋମାରେ ଉଡ଼ାଇବାକୁ ଧମକ! ମୁମ୍ବାଇ ପୁଲିସକୁ ଫୋନ୍‌, ଦିଲ୍ଲୀରେ ହାଇ ଆଲର୍ଟ ପରେ ମିଥ୍ୟା ବୋଲି ସ୍ପଷ୍ଟ

ଅକ୍ଷର ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଥିଲା। ଏହି ଧମକ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍ କଲ୍ ଜରିଆରେ ଦିଆଯାଇଥିବା ସୂଚନା ମିଳିଛି। ତେବେ ତୁରନ୍ତ ତଦନ୍ତ ପରେ ଏହାକୁ ମିଥ୍ୟା ଧମକ ବୋଲି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ହେଲେ ଧମକପୂର୍ଣ୍ଣ କଲ୍ କରିଥିବା ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଲାଲକିଲ୍ଲା ଉପରେ ବୋମା ମାଡ଼ କରାଯିବ ବୋଲି ଧମକ ଦେଇଥିଲେ। ଘଟଣାର ଗୁରୁତ୍ୱକୁ ବିଚାର କରି ମୁମ୍ବାଇ ପୁଲିସ ତୁରନ୍ତ ଏହି ସୂଚନାକୁ ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମକୁ ପଠାଇଥିଲା। ଏହାପରେ ଦିଲ୍ଲୀ ପୁଲିସର ଉତ୍ତର ଜିଲ୍ଲା ଟିମ୍ ସକ୍ରିୟ ହୋଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପକ୍ଷରୁ ଲାଲକିଲ୍ଲା ପରିସର ଏବଂ ଆଖପାଖ ଅଞ୍ଚଳରେ କଡ଼ା ଯାଞ୍ଚ କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ସତର୍କ କରାଯାଇଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବାରୁ ଏହି ଧମକକୁ ମିଥ୍ୟା ବୋଲି ଘୋଷଣା କରିଛି ଉତ୍ତର ଜିଲ୍ଲା ପୁଲିସ।

ତେବେ ଏହି ମିଥ୍ୟା ଧମକ ପଛରେ କିଏ ରହିଛି ଏବଂ କେଉଁ ଉଦ୍ଦେଶ୍ୟରେ ଏପରି କଲ୍ କରାଯାଇଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। କଲ୍‌ର ଉତ୍ସ ଓ କଲରଙ୍କ ପରିଚୟ ଖୋଜିବାକୁ ପ୍ରାୟୋଗିକ ସହାୟତା ନିଆଯାଉଛି। ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଦିଲ୍ଲୀ ଓ ନୋଏଡାର ଅନେକ ପ୍ରମୁଖ ସ୍କୁଲକୁ ଇ-ମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ପରେ ସେହି ସବୁ ଧମକ ମଧ୍ୟ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ତଥାପି ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ଧମକକୁ ଗୁରୁତ୍ୱର ସହ ନେଇ ଯାଞ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)