ବାରବାଙ୍କ ଘାଟିରେ ଅଳ୍ପକେ ବର୍ତ୍ତିଲେ ୩୫ରୁ ଅଧିକ ଯାତ୍ରୀ! ଯାନ୍ତ୍ରିକ ତ୍ରୁଟି ପରେ ଓଲଟିଲା ବସ୍‌, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରେ ଟଳିଲା ବଡ଼ ବିପଦ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ତେଲକୋଇ-କାଞ୍ଜିପାଣି ରାସ୍ତାର ବାରବାଙ୍କ ଘାଟିରେ ଘଟିଛି ଏକ ବଡ଼ ସଡ଼କ ଦୁର୍ଘଟଣା। ‘ଦୁର୍ଗା ମାଧବ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଘାଟି ଉପରକୁ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ପଛକୁ ଖସି ଶେଷରେ ଓଲଟି ପଡ଼ିଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ଭୟାବହ ଦୁର୍ଘଟଣା ଟଳିଯାଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁଯାୟୀ, ବସ୍‌ଟି ତେଲକୋଇ କାଳିଆହତା ଅଞ୍ଚଳରୁ କେନ୍ଦୁଝର ସହର ଅଭିମୁଖେ ଯାଉଥିଲା। ବାରବାଙ୍କ ଘାଟି ଚଢ଼ୁଥିବା ବେଳେ ହଠାତ୍ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ବସ୍‌ଟି ନିୟନ୍ତ୍ରଣ ହରାଇ ଦ୍ରୁତଗତିରେ ପଛକୁ ଖସିବା ଆରମ୍ଭ କରିଥିଲା। ପରିସ୍ଥିତି ଗମ୍ଭୀର ହେଉଥିବା ଦେଖି ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବସ୍‌କୁ ଅଟକାଇବାକୁ ପ୍ରୟାସ କରିଥିଲେ। ଏହି ଚେଷ୍ଟା ସମୟରେ ବସ୍‌ଟି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା। ଚାଳକଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସ୍‌ଟି ଗଭୀର ଖାଇକୁ ଖସିନଥିବାରୁ ଏକ ବଡ଼ ଅଘଟଣ ଏଡ଼ାଯାଇଛି।

ଦୁର୍ଘଟଣା ସମୟରେ ବସ୍‌ରେ ୩୫ରୁ ଅଧିକ ଯାତ୍ରୀ ଥିଲେ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି।ଦୁର୍ଘଟଣା ପରେ କିଛି ସମୟ ପାଇଁ ତେଲକୋଇ-କାଞ୍ଜିପାଣି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବସ୍‌ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣା ପୁଣିଥରେ ପାହାଡ଼ିଆ ଘାଟି ରାସ୍ତାରେ ଯାତ୍ରୀବାହୀ ଯାନର ସୁରକ୍ଷା, ନିୟମିତ ଫିଟନେସ୍ ଯାଞ୍ଚ ଏବଂ ଯାନ୍ତ୍ରିକ ତ୍ରୁଟି ପ୍ରତି ସତର୍କତାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial