ଅକ୍ଷର ବ୍ୟୁରୋ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଇକୋଟେକ୍–୩ ଶିଳ୍ପାଞ୍ଚଳରେ ଥିବା ଏକ ଇଲେକ୍ଟ୍ରୋନିକ୍ ଚିପ୍ସ ନିର୍ମାଣକାରୀ କମ୍ପାନୀରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲିଭାଇବା ବେଳେ କାରଖାନାର ଏକ କାନ୍ଥ ଓ ଲୁହା ବିମ୍ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଇକୋଟେକ୍–୩ ସ୍ଥିତ ILGIM କମ୍ପାନୀରେ ସୋମବାର ରାତିରୁ ମଙ୍ଗଳବାର ମଧ୍ୟରାତ୍ରି ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି କମ୍ପାନୀରେ ଇଲେକ୍ଟ୍ରୋନିକ୍ ଚିପ୍ସ ଉତ୍ପାଦନ କରାଯାଏ। ନିଆଁ ଲାଗିବା ଖବର ପାଇବା ପରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ଅଗ୍ନି ନିର୍ବାପଣ କାର୍ଯ୍ୟ ଆରମ୍ଭ କରିଥିଲେ।
ତେବେ ନିଆଁ ଲିଭାଇବା ସମୟରେ ହଠାତ୍ କାରଖାନାର ଏକ ପାର୍ଶ୍ୱ କାନ୍ଥ ଏବଂ ଏକ ଲୁହା ବିମ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଅଗ୍ନିଶମ କର୍ମଚାରୀ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ରୋହିତ ଯାଦବ ଏବଂ ମୁଖ୍ୟ କନଷ୍ଟେବଳ (ଡ୍ରାଇଭର) ତିରଥପାଲ ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣ ଆହତ ଅଗ୍ନିଶମ କର୍ମଚାରୀଙ୍କ ଅବସ୍ଥା ସ୍ଥିର ଏବଂ ବିପଦମୁକ୍ତ ଥିବା ସୂଚନା ମିଳିଛି।
ଘଟଣାସ୍ଥଳରେ ବର୍ତ୍ତମାନ ପୁଲିସ, ଅଗ୍ନିଶମ ବିଭାଗ ଏବଂ SDRF ଟିମ୍ ମୁତୟନ ରହିଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଏବଂ କାନ୍ଥ ଭୁଶୁଡ଼ି ପଡ଼ିବା ପଛର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି। ସେହିପରି ଘଟଣାକୁ ନେଇ ଆବଶ୍ୟକ ଆଇନଗତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ଏହି ଦୁର୍ଘଟଣା ପୁଣିଥରେ ଶିଳ୍ପାଞ୍ଚଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ସମୟରେ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।












Leave a Reply