ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା: ଲୋକସଭାରେ ପାରିତ ହେଲା ସଂଶୋଧନ ବିଲ୍‌, ୩୪ରୁ ବଢ଼ି ୩୮ ହେବ ଶକ୍ତି

ଅକ୍ଷର ବ୍ୟୁରୋ: ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାର ଶୀଘ୍ର ସମାଧାନ ଏବଂ ନ୍ୟାୟିକ କାର୍ଯ୍ୟକ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍–୨୦୨୬ ସୋମବାର ଲୋକସଭାରେ ବାଚନିକା ଭୋଟରେ ପାରିତ ହୋଇଛି। ଏହି ବିଲ୍‌କୁ କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥାପନ କରିଥିଲେ।

ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ସୁପ୍ରିମକୋର୍ଟର ଅନୁମୋଦିତ ବିଚାରପତି ସଂଖ୍ୟା ୩୪ରୁ ବଢ଼ି ୩୮ କରାଯିବ। ଏଥିରେ ମୁଖ୍ୟ ବିଚାରପତିଙ୍କୁ ବାଦ ଦେଲେ ଅନ୍ୟ ବିଚାରପତିଙ୍କ ସଂଖ୍ୟା ୩୩ରୁ ବୃଦ୍ଧି ପାଇ ୩୭ ହେବ। ସରକାରଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ବିପୁଳ ସଂଖ୍ୟକ ମାମଲାର ଶୀଘ୍ର ଫଇସଲା କରିବା, ନ୍ୟାୟିକ ବ୍ୟବସ୍ଥାର ଦକ୍ଷତା ବଢ଼ାଇବା ଏବଂ ସାମ୍ବିଧାନିକ ବେଞ୍ଚ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣିକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ ଅଣାଯାଇଛି।

ଏହି ବିଲ୍‌ ୧୯୫୬ ମସିହାର ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ଆଇନରେ ସଂଶୋଧନ ଆଣିବ। ଏହା ପୂର୍ବରୁ ମେ’ ୨୦୨୬ରେ ଜାରି ହୋଇଥିବା ଏକ ଅଧ୍ୟାଦେଶ ମାଧ୍ୟମରେ ବିଚାରପତିଙ୍କ ସଂଖ୍ୟାକୁ ଅସ୍ଥାୟୀ ଭାବେ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଲୋକସଭାରେ ବିଲ୍ ପାରିତ ହେବା ପରେ ସେହି ବ୍ୟବସ୍ଥାକୁ ସ୍ଥାୟୀ ଆଇନଗତ ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ତେବେ ଏହି ବିଲ୍‌ ଏଯାବତ୍ ଆଇନରେ ପରିଣତ ହୋଇନାହିଁ। ଏହା କାର୍ଯ୍ୟକାରୀ ହେବା ପାଇଁ ପ୍ରଥମେ ରାଜ୍ୟସଭାରେ ପାରିତ ହେବା ଆବଶ୍ୟକ। ଏହାପରେ ରାଷ୍ଟ୍ରପତିଙ୍କ ସମ୍ମତି ମିଳିଲେ ବିଲ୍‌ଟି ଆଇନରେ ପରିଣତ ହେବ ଏବଂ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ଆନୁଷ୍ଠାନିକ ଭାବେ ୩୮କୁ ବୃଦ୍ଧି ପାଇବ। ଏହି ପଦକ୍ଷେପକୁ ନ୍ୟାୟ ବ୍ୟବସ୍ଥାରେ ଲମ୍ବି ରହିଥିବା ମାମଲାର ଭାର କମାଇବା ଏବଂ ସାଧାରଣ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial