ପୁଣି ମାତିଲେ ମନ୍ଦିର ଚୋର! ମା’ ଦ୍ୱାରସେନିଙ୍କ ମନ୍ଦିରରୁ ଲୁଟ୍, ଚୋରି ହେଲା ସୁନା-ରୁପା ଅଳଙ୍କାର ଓ ଦାନପେଟି ଟଙ୍କା

ଅକ୍ଷର ବ୍ୟୁରୋ: ପୁଣି ମାତିଲେ ମନ୍ଦିର ଚୋର। ମନ୍ଦିରରେ କଳାକନା ବୁଲାଇ ଠାକୁରାଣୀଙ୍କ ଅଳଙ୍କାର ସହ ଦାନପେଟିର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରେ ଥିବା ମା’ ଦ୍ୱାରସେନିଙ୍କ ପ୍ରସିଦ୍ଧ ମନ୍ଦିରରୁ ଚୋରି ଘଟଣାକୁ ନେଇ ଏବେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜିତ ମା’ ଦ୍ୱାରସେନିଙ୍କ ମନ୍ଦିରକୁ ଚୋରମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ମନ୍ଦିରରୁ ମା’ଙ୍କ ରୁପା ମୁକୁଟ, ସୁନା ଅଳଙ୍କାର ଏବଂ ଦାନପେଟିରେ ଥିବା ଟଙ୍କା ଚୋରି ହୋଇଛି। ଘଟଣା ଜଣାପଡ଼ିବା ପରେ ମନ୍ଦିର ପରିସରରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଚୋରମାନେ କେଉଁ ବାଟ ଦେଇ ମନ୍ଦିର ଭିତରକୁ ପ୍ରବେଶ କଲେ, କିପରି ଅଳଙ୍କାର ଓ ଟଙ୍କା ଲୁଟିଲେ ଏବଂ ଏହି ଚୋରି ପଛରେ କିଏ ରହିଛି, ସେନେଇ ପୁଲିସ ତଦନ୍ତ ଚଳାଇଛି। ତେବେ ଚୋରି ହୋଇଥିବା ସମ୍ପତ୍ତିର ପ୍ରକୃତ ପରିମାଣ ଏଯାଏ ସ୍ପଷ୍ଟ ହୋଇନାହିଁ। ମନ୍ଦିର ପକ୍ଷରୁ ଚୋରି ଯାଇଥିବା ସୁନା, ରୁପା ଅଳଙ୍କାର ଓ ଟଙ୍କାର ଆକଳନ କରାଯାଉଛି। ଘଟଣାର ଗୁରୁତ୍ୱକୁ ଦେଖି ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ୍ ଆସି ବିଭିନ୍ନ ଦିଗରୁ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ, ଫିଙ୍ଗରପ୍ରିଣ୍ଟ୍‌ ଭଳି ବୈଜ୍ଞାନିକ ତଥ୍ୟ ସଂଗ୍ରହ କରାଯାଇପାରେ। ଏହି ତଥ୍ୟ ଆଧାରରେ ଚୋରଙ୍କ ପାଖରେ ପହଞ୍ଚିବାକୁ ପୁଲିସ ଉଦ୍ୟମ କରିବ। ଏପଟେ ମା’ଙ୍କ ଅଳଙ୍କାର ଓ ଦାନପେଟିର ଟଙ୍କା ଚୋରି ଘଟଣାକୁ ନେଇ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଧାର୍ମିକ ସ୍ଥଳ ଭଳି ସମ୍ବେଦନଶୀଳ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial