ଆଜିଠୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ଅଗଷ୍ଟ ୯ରୁ ୧୭ ଯାଏଁ ଦେଶପ୍ରେମର ରଙ୍ଗରେ ରଙ୍ଗିବ ଓଡ଼ିଶା

ଅକ୍ଷର ବ୍ୟୁରୋ: ସ୍ୱାଧୀନତା ଦିବସ ପାଳନକୁ ନେଇ ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଅଭିଯାନକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଅଭିଯାନକୁ ସଫଳ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଅଂଶ ଭାବେ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ତ୍ରିରଙ୍ଗା ରାଲି’ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ହାତୀଆସୁଣୀ ଗ୍ରାଉଣ୍ଡଠାରୁ ଲୁମ୍ବିନୀ ବିହାର ରୋଡ୍‌ ପର୍ଯ୍ୟନ୍ତ ଏହି ତ୍ରିରଙ୍ଗା ରାଲି ଆୟୋଜନ କରାଯିବ।

ରାଲିରେ ଜାତୀୟ ଗୀତ ଓ ଜାତୀୟ ସଙ୍ଗୀତ ଗାନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଏହା ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟତାବୋଧ ଓ ଜାତୀୟ ପତାକା ପ୍ରତି ସମ୍ମାନର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଅଭିଯାନକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପକ୍ଷରୁ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯିବ। ପରେ ଏହି ପତାକାଗୁଡ଼ିକୁ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ। ଏହା ମାଧ୍ୟମରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ଗାଁଠାରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯୋଜନା ରହିଛି।

ଅଗଷ୍ଟ ୯ରୁ ୧୭ ତାରିଖ ମଧ୍ୟରେ ଜନସାଧାରଣ ତ୍ରିରଙ୍ଗା ସହ ସେଲ୍ଫି ଉଠାଇ ‘ହର ଘର ତ୍ରିରଙ୍ଗା’ ୱେବସାଇଟ୍‌ରେ ଫଟୋ ଅପଲୋଡ୍ କରିପାରିବେ। ଫଟୋ ଅପଲୋଡ୍‌ ପରେ ଅଂଶଗ୍ରହଣକାରୀମାନେ ନିଜର ଡିଜିଟାଲ ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ। ଏଥିସହ ମାଇଁ ଗଭର୍ଣ୍ଣମେଣ୍ଟ ପୋର୍ଟାଲ୍‌ରେ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। ଅଭିଯାନରେ ସାଧାରଣ ଲୋକଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଡିଜିଟାଲ୍ ମାଧ୍ୟମରେ ଦେଶପ୍ରେମର ଭାବନାକୁ ଆହୁରି ବ୍ୟାପକ କରିବା ଏହାର ଉଦ୍ଦେଶ୍ୟ। ଅଗଷ୍ଟ ୯ରୁ ୧୭—୯ ଦିନ ଧରି ତ୍ରିରଙ୍ଗାର ରଙ୍ଗରେ ରଙ୍ଗିତ ହେବ ଓଡ଼ିଶା। ଘରେ ଘରେ ଜାତୀୟ ପତାକା ଉଡ଼ାଇ ସ୍ୱାଧୀନତା ଦିବସର ଉତ୍ସବକୁ ଜନଆନ୍ଦୋଳନରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial