ଓଡ଼ିଶାରେ ବନ୍ୟା ଭୟ ଘନେଇଲା! ହୀରାକୁଦର ୧୨ ଗେଟ୍ ଖୋଲା, ବୈତରଣୀରେ ବଢୁଛି ଜଳସ୍ତର

ଅକ୍ଷର ବ୍ୟୁରୋ: ରାଜ୍ୟରେ ଲଗାଣ ବର୍ଷା ପରେ ଧୀରେ ଧୀରେ ଘନୀଭୂତ ହେଉଛି ବନ୍ୟା ପରିସ୍ଥିତି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବା ପରେ ଆଉ ୪ଟି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ। ଏହାକୁ ମିଶାଇ ବର୍ତ୍ତମାନ ହୀରାକୁଦର ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଅନ୍ୟପଟେ ଲଗାଣ ବର୍ଷାର ପ୍ରଭାବରେ ପୁଣି ଫୁଲିବାରେ ଲାଗିଛି ବୈତରଣୀ ନଦୀ। ଆଖୁଆପଦା ନିକଟରେ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ବର୍ତ୍ତମାନ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି।ବୈତରଣୀର ଜଳସ୍ତର ବଢ଼ିବା ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍‌ର ତଳିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ନଦୀକୂଳିଆ ଗାଁଗୁଡ଼ିକରେ ବନ୍ୟାଜଳ ପଶିବାର ଆଶଙ୍କା ଦେଖାଦେଇଛି। ଏପଟେ ଚାଷ ଜମିରେ ବନ୍ୟାଜଳ ମାଡ଼ିଯିବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଲଗାଣ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ରହିଛି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଦୀବନ୍ଧଗୁଡ଼ିକର ସୁରକ୍ଷା ଯାଞ୍ଚ କରାଯିବା ସହ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଉଛି। ତଳିଆ ଅଞ୍ଚଳର ଲୋକଙ୍କୁ ମଧ୍ୟ ସତର୍କ ରହିବା ସହ ନଦୀର ଜଳସ୍ତର ଓ ପ୍ରଶାସନର ନିର୍ଦ୍ଦେଶ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଗୋଟିଏ ପଟେ ହୀରାକୁଦରୁ ୧୨ ଗେଟ୍ ଦେଇ ଜଳ ନିଷ୍କାସନ, ଅନ୍ୟପଟେ ବୈତରଣୀରେ ବଢ଼ୁଛି ଜଳସ୍ତର। ଲଗାଣ ବର୍ଷା ମଧ୍ୟରେ ଓଡ଼ିଶାରେ ବଢ଼ିଲା ବନ୍ୟା ଆଶଙ୍କା ପ୍ରଶାସନ ସଜାଗ, ନଦୀକୂଳିଆ ଅଞ୍ଚଳବାସୀ ଚିନ୍ତିତ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial