ଅକ୍ଷର ବ୍ୟୁରୋ: ଓଡ଼ିଶା ଉପରେ ପୁଣି ବର୍ଷାର ବଡ଼ ବିପଦ! ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏବେ ପଛକୁ ପଛ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବାରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାରି ଭିତରେ ଅଗଷ୍ଟ ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ପାଣିପାଗ ବିଭାଗ ଆକଳନ କରିଛି। IMDର ଆକଳନ ଅନୁଯାୟୀ, ଅଗଷ୍ଟ ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଅଗଷ୍ଟ ୧୪ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ଲଘୁଚାପର ଗତିପଥ, ତୀବ୍ରତା ଏବଂ କେଉଁ ଅଞ୍ଚଳରେ କେତେ ପରିମାଣର ବର୍ଷା ହେବ, ସେନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ। ପରବର୍ତ୍ତୀ ଆକଳନ ଉପରେ ନଜର ରହିଛି।
ପରପର ଦୁଇ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ। ଅଗଷ୍ଟ ୧୩ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ସମେତ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଫଳରେ ଆଗାମୀ ଦିନଗୁଡ଼ିକରେ ରାଜ୍ୟରେ ବର୍ଷାଜନିତ ସମସ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦେଖି ୪ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି IMD। ଏହି ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର। ଏହି ଚାରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ରାଜ୍ୟର ବାକି ପ୍ରାୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖାଯାଇଛି। ଆଜି ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ୨୦ରୁ ଅଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ଗୋଟିଏ ଲଘୁଚାପର ପ୍ରଭାବ ଜାରି ଥିବା ବେଳେ ଆଉ ଏକ ଲଘୁଚାପର ସମ୍ଭାବନା ରାଜ୍ୟରେ ବର୍ଷାର ପରିମାଣ ବଢ଼ାଇପାରେ। ତେଣୁ ଆଗାମୀ ଦିନରେ ଲଘୁଚାପର ଗତିପଥ ଓ ତୀବ୍ରତା ସହ ବର୍ଷାର ପୂର୍ବାନୁମାନ ଉପରେ ନଜର ରଖିଛି ପାଣିପାଗ ବିଭାଗ।













Leave a Reply