ଅକ୍ଷର ବ୍ୟୁରୋ: ଜମ୍ମୁ-କଶ୍ମୀରର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ୍ରେ ସାମିଲ ଥିବା ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଜମ୍ମୁର ଗାଙ୍ଗ୍ୟାଲ ଅଞ୍ଚଳରେ ଶନିବାର ରାତି ପ୍ରାୟ ୮ଟା ୫୫ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ପରିଚୟ ବିହାରର ସମସ୍ତିପୁର ଅଞ୍ଚଳର ଭରତ କାପର ବୋଲି ଜଣାପଡ଼ିଛି। ସେ ଗାଙ୍ଗ୍ୟାଲ ଅଞ୍ଚଳର ଏକ ଦୋକାନରେ କାମ କରୁଥିଲେ।
ସୂଚନା ଅନୁଯାୟୀ, ଭରତ ରାସ୍ତା ପାର୍ ହେଉଥିବା ସମୟରେ ଡେପୁଟି CMଙ୍କ କାରକେଡ୍ରେ ସାମିଲ ଥିବା ଏକ ଦ୍ରୁତଗାମୀ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ଯୁବକ ଗୁରୁତର ଆହତ ହୋଇଥିଲେ। ଗାଡ଼ିର ଡ୍ରାଇଭର ତୁରନ୍ତ ତାଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଭରତଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସମୟରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ କାରକେଡ୍ରେ ଉପସ୍ଥିତ ନଥିଲେ। ଅଧିକାରୀମାନଙ୍କ କହିବା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘରେ ଛାଡ଼ି କାରକେଡ୍ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଏନେଇ ମାମଲା ରୁଜୁ କରାଯାଇ ଦୁର୍ଘଟଣାର ପ୍ରକୃତ କାରଣ ଖୋଜାଯାଉଛି। ଘଟଣାସ୍ଥଳ ଏବଂ ଏହାର ଆଖପାଖରେ ଲାଗିଥିବା CCTV କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି। ତଦନ୍ତ ପରେ ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହେବ।















Leave a Reply