ଅକ୍ଷର ବ୍ୟୁରୋ: ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କୁ ଠକିବା, ବ୍ଲାକମେଲ୍ କରିବା ଓ ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ହଡ଼ପ କରିବା ଅଭିଯୋଗରେ ଜଣେ ସରକାରୀ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତିଙ୍କୁ ନବରଙ୍ଗପୁର ଜିଲ୍ଲାର ଉମରକୋଟରୁ ଗିରଫ କରାଯାଇଥିବାବେଳେ ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଡାକ୍ତର ଅବିନାଶ ମହାନ୍ତିଙ୍କୁ ଗିରଫ କରିଛି। ଅବିନାଶ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳର ଏକ ସରକାରୀ ମେଡିକାଲରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବରୁ ସାମାଜିକ ଗଣମାଧ୍ୟମ ଜରିଆରେ ପୀଡ଼ିତାଙ୍କ ସହ ଅବିନାଶଙ୍କ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ଏବଂ ଅଭିଯୁକ୍ତ ମହିଳାଙ୍କୁ ସାକ୍ଷାତ କରିବାକୁ ଡାକିଥିଲେ। ସେହି ସମୟରେ ମହିଳାଙ୍କୁ କୌଣସି ପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେଇ ଅସଦାଚରଣ କରିବା ସହ ତାଙ୍କର ଆପତ୍ତିଜନକ ଭିଡିଓ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ କହିବା ଅନୁଯାୟୀ, ପରବର୍ତ୍ତୀ ସମୟରେ ଅବିନାଶ ସେହି ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଇ ବାରମ୍ବାର ଟଙ୍କା ଏବଂ ସୁନା ଅଳଙ୍କାର ନେଇଥିଲେ। ଏହାସହ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ସମୟ ଧରି ତାଙ୍କୁ ମାନସିକ ଓ ଆର୍ଥିକ ଭାବେ ଶୋଷଣ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।
ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଭିଡିଓ ଦେଖାଇ ଭୟଭୀତ କରି ଅଭିଯୁକ୍ତ ବାରମ୍ବାର ମହିଳାଙ୍କ ସହ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ। ଏହା ସହିତ ମହିଳାଙ୍କର ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେବା ପରେ ତାହା ଫେରସ୍ତ କରିବାକୁ ମନା କରିଦେଇଥିଲେ। ଟଙ୍କା ଓ ଗହଣା ଫେରାଇବାକୁ ମହିଳା ଦାବି କରିବାରୁ ତାଙ୍କୁ ଧମକ ଓ ଭୟଭୀତ କରାଯାଉଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ତାଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଓ ନଗଦ ଅର୍ଥ ହାତେଇଥିଲେ। ମାମଲାର ତଦନ୍ତ ଜାରି ରହିଥିବାବେଳେ ପୋଲିସ ଅନ୍ୟାନ୍ୟ ଦିଗକୁ ମଧ୍ୟ ଖତିଆନ କରୁଛି।












Leave a Reply