ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି: ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତକ ସଂଖ୍ୟା ୬କୁ ବୃଦ୍ଧି

ଅକ୍ଷର ବ୍ୟୁରୋ: ତାମିଲନାଡୁର ଏକ ଚିଙ୍ଗୁଡ଼ି ପ୍ରସେସିଂ କାରଖାନାରେ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ଓଡ଼ିଶା ପାଇଁ ଆଉ ଏକ ଦୁଃଖଦ ଖବର ଆଣିଛି। ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଶ୍ରମିକ ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏହି ଘଟଣା ପରେ କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ତାମିଲନାଡୁର ତିରୁଭାଲୁର ଜିଲ୍ଲା ପେରିୟାପାଲାୟମ୍ ନିକଟସ୍ଥ କନ୍ନିଗାଇପେୟାର ଅଞ୍ଚଳରେ ଥିବା ‘‘ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ସ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍’’ ନାମକ ଏକ ଚିଙ୍ଗୁଡ଼ି ପ୍ରସେସିଂ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାର ଅନେକ ଶ୍ରମିକ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ପୂର୍ବରୁ ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଥିବା ଜାମୁନି ଜୁଆଙ୍ଗ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଫଳରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ଏବେ ବି ୪ ଜଣ ଓଡ଼ିଆ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।

ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାରରେ କାନ୍ଦବୋବାଳି ପଡ଼ିଥିବା ବେଳେ ସମଗ୍ର ଅଞ୍ଚଳ ଶୋକରେ ମୁହ୍ୟମାନ ହୋଇପଡ଼ିଛି। ରୋଜଗାର ଆଶାରେ ତାମିଲନାଡୁ ଯାଇଥିବା ଶ୍ରମିକମାନଙ୍କ ପାଇଁ ଏହି ଦୁର୍ଘଟଣା କାଳ ସାଜିଛି। ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏକ ବାର୍ତ୍ତାରେ ସେ ମୃତ ଶ୍ରମିକମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହାସହ ଗୁରୁତର ଭାବେ ଅସୁସ୍ଥ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭାଲୁରରେ ପହଞ୍ଚିଛନ୍ତି। ସେମାନେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆହତ ଶ୍ରମିକଙ୍କ ଚିକିତ୍ସା, ପରିବାରବର୍ଗଙ୍କ ସହାୟତା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କରୁଛନ୍ତି।ରୋଜଗାରର ସନ୍ଧାନରେ ରାଜ୍ୟ ବାହାରକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଏହି ଗ୍ୟାସ୍ ଲିକ୍ ଦୁର୍ଘଟଣା ଏକ ବଡ଼ ବିପର୍ଯ୍ୟୟ ପାଲଟିଥିବା ବେଳେ, ମୃତକଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)