ଚୌଦ୍ୱାର ଜେଲ୍ ଫେରାର ମାମଲାରେ ବଡ଼ ମୋଡ଼! ଡିଜି ଓ ଜେଲ୍ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ଏତଲା ଦେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

ଅକ୍ଷର ବ୍ୟୁରୋ: ଚୌଦ୍ୱାର ସର୍କଲ ଜେଲରୁ ଦୁଇ ହାର୍ଡକୋର ବିଚାରାଧୀନ କଏଦୀଙ୍କ ଫେରାର ଘଟଣାକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ନୂଆ ବିବାଦ। ଏହି ଚର୍ଚ୍ଚିତ ମାମଲାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଚୌଦ୍ୱାର ଥାନାରେ ଲିଖିତ ଏତଲା ଦାଖଲ କରି ଜେଲ୍ ପ୍ରଶାସନର ଶୀର୍ଷ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସାଂସଦ ସୁଜିତ କୁମାର ଚୌଦ୍ୱାର ସର୍କଲ ଜେଲ୍‌ର ସୁପରିନଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ଏବଂ ଓଡ଼ିଶା ଜେଲ୍ ଓ କରେକ୍ସନାଲ ସର୍ଭିସେସର ଡିଜି ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଜେଲରୁ ଦୁଇ ହାର୍ଡକୋର କଏଦୀଙ୍କ ଫେରାର ଘଟଣାରେ ଏହି ଦୁଇ ଅଧିକାରୀଙ୍କ ସମ୍ପୃକ୍ତତା ରହିଥିବା ସନ୍ଦେହ ରହିଛି। ଏତଲାରେ ସେ ଉଲ୍ଲେଖ କରିଛନ୍ତି ଯେ, କଏଦୀମାନେ ଫେରାର ହେବା ପରେ ସେମାନଙ୍କ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନଷ୍ଟ କରାଯାଇଥିଲା। ଏଥିସହ ସରକାରୀ ଦସ୍ତାବିଜରେ ଜାଲିଆତି, ଅଫିସିଆଲ୍ ରେକର୍ଡରେ ହେରଫେର ଏବଂ ପଦବୀର ଅପବ୍ୟବହାର ଭଳି ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ସମଗ୍ର ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସେ ଏତଲାରେ ଦାବି କରିଛନ୍ତି।

ଗତବର୍ଷ ଅକ୍ଟୋବର ୩ ତାରିଖ ରାତିରେ ଦଶହରା ପାଳନ ଅବସରରେ ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିଚାରାଧୀନ କଏଦୀ ରାଜା ସାହାନୀ ଓ ମଧୁକାନ୍ତ ରଣା ଫେରାର ହୋଇଯାଇଥିଲେ। ଏହି ଘଟଣା ରାଜ୍ୟର କାରାଗାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଥିଲା। ଘଟଣା ପରେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶ, ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି ଅଭିଯୋଗ ଆଣି ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଥିଲା ଯେ, ଘଟଣାର ପରିଣାମକୁ ଦୃଷ୍ଟିରେ ରଖି ରେକର୍ଡରେ ହେରଫେର କରିବାକୁ ଉଦ୍ୟମ କରାଯାଇଥିଲା। ଏହି ମାମଲାର ତଦନ୍ତ ଚୌଦ୍ୱାର ଥାନା ପୁଲିସ କରୁଥିବା ବେଳେ ଜୁନ୍ ୨୪ ତାରିଖରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନୂଆ ଏତଲା ରାଜ୍ୟର ପ୍ରଶାସନିକ ମହଳରେ ହଟଚମଟ ସୃଷ୍ଟି କରିଛି। ଏହି ଅଭିଯୋଗ ପରେ ତଦନ୍ତର ଦିଗ କେଉଁ ମୋଡ଼ ନେବ ଏବଂ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ସେନେଇ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)