ଅକ୍ଷର ବ୍ୟୁରୋ: ରାଜ୍ୟବ୍ୟାପୀ ଚର୍ଚ୍ଚାର କାରଣ ପାଲଟିଥିବା ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆସିଛି ବଡ଼ ଅପଡେଟ୍। ଉନ୍ନୟନ କମିସନରଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟରେ କାହାକୁ ଦାୟୀ କରାଯାଇଛି ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି, ତାହାକୁ ନେଇ ଏବେ ରାଜନୈତିକ ଓ ଶିକ୍ଷା ମହଳରେ ଚର୍ଚ୍ଚା ଜୋର ଧରିଛି।
ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିବାଦ ଦିନକୁ ଦିନ ଗଭୀର ହେଉଥିବା ବେଳେ ଏପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସାମ୍ନାକୁ ସ୍ପଷ୍ଟ ଚିତ୍ର ଆସିପାରିନାହିଁ। ତ୍ରୁଟିପୂର୍ଣ୍ଣ ବହିଗୁଡ଼ିକର ଭବିଷ୍ୟତ କ’ଣ ହେବ, ସେନେଇ ଅନିଶ୍ଚିତତା ଲାଗି ରହିଛି। ଅନ୍ୟପଟେ ୨୦୨୬-୨୭ ଶିକ୍ଷାବର୍ଷର ତିନି ମାସ ବିତିଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ୱାଭାବିକ ହୋଇପାରୁନାହିଁ। ଏହାକୁ ନେଇ ଅଭିଭାବକମାନଙ୍କ ଚିନ୍ତା ବଢ଼ିଛି।
ପାଠ୍ୟପୁସ୍ତକ ବିବାଦର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— କାହାର ଅବହେଳା କିମ୍ବା ଭୁଲ୍ ପାଇଁ ୨ କୋଟି ୭୨ ଲକ୍ଷ ବହିରେ ତ୍ରୁଟି ରହିଗଲା? ସମ୍ପାଦନା ଓ ସମୀକ୍ଷକ ମଣ୍ଡଳୀର କିଛି ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ବହି ଶୀଘ୍ର ପ୍ରସ୍ତୁତ କରିବାକୁ ତତ୍କାଳୀନ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କ ପକ୍ଷରୁ ଚାପ ଥିଲା। ଅନ୍ୟପଟେ ଡିଟିପି ଓ ଡିଜାଇନ୍ କାମ କରିଥିବା ସଂସ୍ଥା ସମୀକ୍ଷକମାନଙ୍କୁ ଦାୟୀ କରିଛି।
ସଂସ୍ଥାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ପାଠ୍ୟପୁସ୍ତକଗୁଡ଼ିକୁ ସଂଶୋଧନ ଓ ସମୀକ୍ଷା ପାଇଁ ପାଞ୍ଚ ଥର ପଠାଯାଇଥିଲା। ତେବେ ଏତେ ଥର ସମୀକ୍ଷା ସତ୍ତ୍ୱେ ତ୍ରୁଟି କିପରି ରହିଗଲା, ତାହାକୁ ନେଇ ଡିଟିପି ଅପରେଟରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ହାତରେ ପହଞ୍ଚିବା ପରେ ଏବେ ସମସ୍ତଙ୍କ ଦୃଷ୍ଟି ତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ଦାୟୀ ଅଧିକାରୀ କିମ୍ବା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ କି? ତ୍ରୁଟିପୂର୍ଣ୍ଣ ବହିଗୁଡ଼ିକୁ ପ୍ରତ୍ୟାହାର କରାଯିବ କି? ଛାତ୍ରଛାତ୍ରୀଙ୍କୁ ନୂଆ ବହି ଯୋଗାଇ ଦିଆଯିବ କି? ଏଭଳି ଅନେକ ପ୍ରଶ୍ନର ଉତ୍ତରକୁ ନେଇ ଉତ୍ସୁକତା ବଢ଼ିଛି।
ଏହି ବିବାଦ ଭିତରେ ପାଠ୍ୟପୁସ୍ତକର ସମ୍ପାଦନା ମଣ୍ଡଳୀକୁ ନେଇ ଅଭିଯୋଗ ଜାରି ରହିଥିବା ବେଳେ ଓଡ଼ିଶା ଅଭିଭାବକ ସଂଘ ଆମରଣ ଅନଶନର ଚେତାବନୀ ଦେଇଛି। ସଂଘର ଦାବି ହେଉଛି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଦୃଢ଼ ପଦକ୍ଷେପ ନିଆଯାଉ ଏବଂ ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ବହି ଯୋଗାଇ ଦିଆଯାଉ। ତଦନ୍ତ ରିପୋର୍ଟ ଦାଖଲ ହୋଇଥିବା ବେଳେ ଏବେ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ। ସେହି ନିଷ୍ପତ୍ତି ହିଁ ନିର୍ଣ୍ଣୟ କରିବ ରାଜ୍ୟର ସବୁଠାରୁ ବଡ଼ ପାଠ୍ୟପୁସ୍ତକ ବିବାଦର ପରବର୍ତ୍ତୀ ଅଧ୍ୟାୟ।












Leave a Reply