ବଲାଙ୍ଗୀର ଗାନ୍ଧୀନଗରରେ ଅଗ୍ନିକାଣ୍ଡ ତାଣ୍ଡବ: EV ଶୋ’ରୁମ୍ ସହ ଗ୍ୟାରେଜ୍ ଜଳିଗଲା, ସର୍ଟ ସର୍କିଟ୍ ସନ୍ଦେହ

ଅକ୍ଷର ବ୍ୟୁରୋ: ବଲାଙ୍ଗୀର ସହରର ଗାନ୍ଧୀନଗର ସ୍ଥିତ ଏକ ମାର୍କେଟ କମ୍ପ୍ଲେକ୍ସରେ ଥିବା ଇଲେକ୍ଟ୍ରିକ୍ ଭେହିକଲ୍ (EV) ଶୋ’ରୁମ୍ ଓ ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗିବା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ୍‌ରୁ ହୋଇଥିବା ସନ୍ଦେହ କରାଯାଉଛି। ନିଆଁ ପ୍ରଥମେ ଗ୍ୟାରେଜ୍ ଅଞ୍ଚଳରେ ଲାଗିଥିବା ବେଳେ ସେଠାରେ ଥିବା ବୈଦ୍ୟୁତିକ ଗାଡ଼ି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଦ୍ରୁତ ଭାବେ ଗ୍ରାସ କରିଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ବ୍ୟାପିଯିବାରୁ ସମ୍ପୂର୍ଣ୍ଣ ଶୋ’ରୁମ୍ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ଭିତରେ ଥିବା ଏକାଧିକ EV ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଗ୍ୟାରେଜର ଅନେକ ମୂଲ୍ୟବାନ ଯନ୍ତ୍ରପାତି ଓ ସାମଗ୍ରୀ ମଧ୍ୟ ଅଗ୍ନିରେ ଭସ୍ମୀଭୂତ ହୋଇଛି।

ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସମୟୋଚିତ ପଦକ୍ଷେପ ଫଳରେ ଆଉ ବଡ଼ ଦୁର୍ଘଟଣା ଟଳିଯାଇଥିଲା ବୋଲି ସୂଚନା ମିଳିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନାହିଁ। ତେବେ ଆର୍ଥିକ କ୍ଷୟକ୍ଷତିର ପରିମାଣ ଅଧିକ ହୋଇଥିବା ଆଶଙ୍କା କରାଯାଉଛି ଏବଂ ଏହାର ଆକଳନ ଚାଲିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସର୍ଟ ସର୍କିଟ୍ ନା ଅନ୍ୟ କୌଣସି କାରଣ, ତାହା ରିପୋର୍ଟ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)