ଓଡ଼ିଶା-ଛତିଶଗଡ଼ ଜଳ ବିବାଦରେ ବଡ଼ ପଦକ୍ଷେପ; ଆଜି ଟ୍ରିବ୍ୟୁନାଲରେ ସମୀକ୍ଷା

ଅକ୍ଷର ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ମହାନଦୀ ଜଳ ବଣ୍ଟନ ବିବାଦ ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିପାରେ। ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣିକୁ ନେଇ ଉଭୟ ରାଜ୍ୟ ସହିତ ଲକ୍ଷାଧିକ ଚାଷୀ, ଜଳ ଉପଭୋକ୍ତା ଓ ସାଧାରଣ ଲୋକଙ୍କ ନଜର ରହିଛି। ଶୁଣାଣି ସମୟରେ ଓଡ଼ିଶା ଓ ଛତିଶଗଡ଼ର ଆଇନ ଏବଂ ବୈଷୟିକ ଟିମ୍‌ ମଧ୍ୟରେ ହୋଇଥିବା ଆଲୋଚନାର ଅଗ୍ରଗତି ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ।

ସୂଚନା ଅନୁଯାୟୀ, ମହାନଦୀ ଜଳ ବଣ୍ଟନ ସମ୍ବନ୍ଧୀୟ କିଛି ମୁଖ୍ୟ ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ସହମତି ସୃଷ୍ଟି ହୋଇଥିବାବେଳେ, ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏପର୍ଯ୍ୟନ୍ତ ଅମୀମାଂସିତ ରହିଛି। ସେହି ସବୁ ପ୍ରସଙ୍ଗରେ ଆଜି ଟ୍ରିବ୍ୟୁନାଲ ପକ୍ଷରୁ ସମୀକ୍ଷା କରାଯିବ। ଏହି ଶୁଣାଣିରେ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିପାରନ୍ତି। ଦୀର୍ଘଦିନ ଧରି ଚାଲିଥିବା ଏହି ଜଳ ବିବାଦର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସ୍ଥାୟୀ ସମାଧାନ ପାଇଁ ଉଭୟ ରାଜ୍ୟ ଆଲୋଚନା ମାଧ୍ୟମରେ ଆଗକୁ ବଢ଼ୁଥିବାବେଳେ, ଆଜିର ଶୁଣାଣିକୁ ଏକ ନିର୍ଣ୍ଣାୟକ ପଦକ୍ଷେପ ଭାବେ ଦେଖାଯାଉଛି।

ଅନ୍ୟପଟେ, ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ମହାନଦୀର ଅନେକ ସ୍ଥାନରେ ଜଳସ୍ତର ଚିନ୍ତାଜନକ ଭାବେ କମିଯାଇଥିଲା ଏବଂ ଅଧିକାଂଶ ଅଞ୍ଚଳ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା କେବଳ ଜଳ ଯୋଗାଣ ନୁହେଁ, କୃଷି, ପାନୀୟ ଜଳ ଓ ପରିବେଶ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ସ୍ଥିତିରେ ଶୀଘ୍ର ସୁଧାର ନ ଆସିଲେ ଭବିଷ୍ୟତରେ ଜଳ ସଙ୍କଟ ଆହୁରି ଗମ୍ଭୀର ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି। ଏପରି ସ୍ଥିତିରେ ଆଜିର ଟ୍ରିବ୍ୟୁନାଲ ଶୁଣାଣି ମହାନଦୀ ଜଳ ବିବାଦର ସମାଧାନ ଏବଂ ଦୁଇ ରାଜ୍ୟ ମଧ୍ୟରେ ଜଳ ବଣ୍ଟନର ଭବିଷ୍ୟତ ରୂପରେଖା ନିର୍ଦ୍ଧାରଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ସାବ୍ୟସ୍ତ ହୋଇପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)