ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ମିରିପୁର ଅଞ୍ଚଳରେ ପୁଣିଥରେ ଲୁଟେରାଙ୍କ ଟାର୍ଗେଟ୍ରେ ପଡ଼ିଛି ଏକ ମନ୍ଦିର। ଦୁର୍ବୃତ୍ତମାନେ ଗାଁର ହନୁମାନ ମନ୍ଦିରର ତାଲା ଭାଙ୍ଗି ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ଘଟଣାରେ ହନୁମାନ ମନ୍ଦିର,ଖଇରାରୁ ହନୁମାନଙ୍କ ରୁପା ମୁକୁଟ, ୧୦୦ ଗ୍ରାମ୍ରୁ ଅଧିକ ଓଜନର ରୁପା ପାଦ ଓ ଦାନବକ୍ସର ଟଙ୍କା ସମ୍ପୂର୍ଣ୍ଣ ଭାବେ ଲୁଟି ନିଆଯାଇଛି।
ମନ୍ଦିର ଲୁଟ୍ ପରେ ଦୁର୍ବୃତ୍ତମାନେ ଗାଁର ଅନେକ ଘରେ ପଶିବାକୁ ଉଦ୍ୟମ କରିଥିବା ଅଭିଯୋଗ ମିଳିଛି। ଏହାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷା ଭାବ ବଢ଼ିଯାଇଛି। ଏହାସହ ଗାଁର ଜଣେ ବ୍ୟକ୍ତିଙ୍କ ସାଇକେଲ୍ ମଧ୍ୟ ଲୁଟି ନେଇଥିବା ଜଣାପଡ଼ିଛି। ଘଟଣା ପରେ ଖଇରା ପୁଲିସ ତୁରନ୍ତ ସକ୍ରିୟ ହୋଇ ତଦନ୍ତ ଆରମ୍ଭ କରିଛି। ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ଲୁଟେରାଙ୍କ ସନ୍ଧାନ ପାଇଁ ଚଢ଼ାଉ ଜାରି ରହିଛି। ମନ୍ଦିରକୁ ଟାର୍ଗେଟ୍ କରି ହୋଇଥିବା ଏହି ଲୁଟ୍ ଘଟଣା ପରେ ଧାର୍ମିକ ସ୍ଥଳୀର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ଶୀଘ୍ର ଲୁଟେରାଙ୍କ ଗିରଫ ଦାବି କରୁଛନ୍ତି।











Leave a Reply