ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ଗଞ୍ଜେଇ ଚୋରାଚାଲାଣ ମଧ୍ୟରେ ବେଗୁନିଆପଡ଼ା ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ଚଢ଼ାଉ କରି ୪୬ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ। ଏହି କାର୍ଯ୍ୟାନୁଷ୍ଠାନ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଖରଖରୀ ନାଳ ନିକଟରେ କରାଯାଇଥିଲା। ଚୋରାଚାଲାଣ ପାଇଁ ବ୍ୟବହୃତ ଏକ ଅଟୋକୁ ମଧ୍ୟ ପୁଲିସ ଜବତ କରିଛି। ପୁଲିସକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଖରଖରୀ ନାଳ ନିକଟରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ସନ୍ଦେହଜନକ ଅଟୋକୁ ଅଟକାଇ ତଲାସି କରିବା ପରେ ସେଥିରୁ ୪୬ କେଜି ଗଞ୍ଜେଇ ମିଳିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କୋଦଳାରୁ ବେଗୁନିଆପଡ଼ା ଦେଇ ଖଲ୍ଲିକୋଟ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ଏହି ରୁଟ୍ରେ ଏକ ସକ୍ରିୟ ନିଶା କାରବାର ଚକ୍ର କାମ କରୁଥିବା ସନ୍ଦେହ କରୁଛି ପୁଲିସ। ଗଞ୍ଜେଇ କାରବାର ବଢ଼ୁଥିବା ବେଳେ ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ ଉଠୁଛି। ତେବେ ପୁଲିସ ପକ୍ଷରୁ ଲଗାତାର ଚଢ଼ାଉ ଏବଂ ଜବତ କାର୍ଯ୍ୟାନୁଷ୍ଠାନ ଚାଲିଥିବାରୁ ନିଶା କାରବାରୀଙ୍କ ମଧ୍ୟରେ ଛନକା ପଶିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହି ଚୋରାଚାଲାଣ ରାକେଟ୍ରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହାର ଖୋଜଖବର ନେଉଛି ପୁଲିସ।












Leave a Reply