ଜୟଦେବ ବିହାରରେ ଜଳିଗଲା ଚଳନ୍ତା କାର, ଅଳ୍ପକେ ଟଳିଲା ବଡ଼ ଅଘଟଣ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ଜୟଦେବ ବିହାର ଅଞ୍ଚଳରେ ଅଳ୍ପକେ ଟଳିଯାଇଛି ଏକ ବଡ଼ ଅଘଟଣ। ପାଲ୍ ହାଇଟ୍ସ ନିକଟରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦେଖୁଦେଖୁ ନିଆଁ ସମ୍ପୂର୍ଣ୍ଣ କାରକୁ ଗ୍ରାସ କରିନେଇଥିଲା। ତେବେ ସୌଭାଗ୍ୟବଶତଃ କାରରେ ଥିବା ଲୋକମାନେ ସୁରକ୍ଷିତ ଭାବେ ବାହାରି ଆସିଥିବାରୁ କୌଣସି ଜୀବନହାନି କିମ୍ବା ଆହତ ଘଟଣା ସାମ୍ନାକୁ ଆସିନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କାରଟି ଚାଲୁଥିବା ବେଳେ ହଠାତ୍ ଇଞ୍ଜିନ୍‌ ଅଂଶରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ନିଆଁ ଭୟାବହ ରୂପ ନେଇ ସମ୍ପୂର୍ଣ୍ଣ ଗାଡ଼ିକୁ ଜଳାଇ ଦେଇଥିଲା। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ନିଆଁ ଆଖପାଖର ଅନ୍ୟ ଯାନବାହନ କିମ୍ବା ପ୍ରତିଷ୍ଠାନକୁ ବ୍ୟାପିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ପ୍ରାଥମିକ ତଦନ୍ତରୁ କାରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି। ଅଗ୍ନିକାଣ୍ଡ ପରେ ଜୟଦେବ ବିହାର ଅଞ୍ଚଳରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା। ଏହା ଫଳରେ କିଛି ସମୟ ପାଇଁ ଯାତାୟାତ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)