କାମଧେନୁ ଯୋଜନାର ସବସିଡି ପାଇଁ ୮୦ ହଜାର ଲାଞ୍ଚ! ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ

ଅକ୍ଷର ବ୍ୟୁରୋ: ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ରାଇଘରର ପଶୁଧନ ନିରୀକ୍ଷକ (ଏଲ୍‌.ଆଇ) ପ୍ରଫୁଲ୍ଲ ହାଲଦାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ରଙ୍ଗେହାତ ଗିରଫ କରିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ସମ୍ପତ୍ତି ଓ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ (CDVO) କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ପ୍ରଫୁଲ୍ଲ ହାଲଦାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଜଣେ ହିତାଧିକାରୀଙ୍କୁ ସବସିଡି ଟଙ୍କା ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଯୋଜନାରେ ଦୁଗ୍ଧ ଚାଷୀମାନଙ୍କୁ ୧ରୁ ୫ଟି ଗାଈ ସହ ଦୁଗ୍ଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସରକାରୀ ସହାୟତା ମିଳିଥାଏ।

ଅଭିଯୋଗ ଅନୁସାରେ, ଲାଞ୍ଚ ନଦେଲେ କେବଳ ସମ୍ପୃକ୍ତ ହିତାଧିକାରୀ ନୁହେଁ, ଗାଁର ଅନ୍ୟ ଚୟନିତ ହିତାଧିକାରୀଙ୍କ ସବସିଡି ମଧ୍ୟ ବନ୍ଦ କରିଦେବେ ବୋଲି ପ୍ରଫୁଲ୍ଲ ହାଲଦାର ଧମକ ଦେଇଥିଲେ। ଏହାପରେ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଫାନ୍ଦ ପକାଇ ପ୍ରଫୁଲ୍ଲ ହାଲଦାରଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ମାଡ଼ି ବସିଥିଲା। ଗିରଫ ପରେ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ରାଇଘର ଡିଏନ୍‌କେ ସ୍ଥିତ ବାସଭବନ, ପାରୱେଲରେ ଥିବା ପୈତୃକ ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଚଢ଼ାଉ ପରେ ତାଙ୍କ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କରେ ଆହୁରି ବଡ଼ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)