ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା; ଚାଲିଛି ଚାରବନ୍ଧା ଓ ସେନାପଟା ନୀତିର ପ୍ରସ୍ତୁତି

ଅକ୍ଷର ବ୍ୟୁରୋ: ଆଉ ମାତ୍ର ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଚଳଚଞ୍ଚଳ ପ୍ରସ୍ତୁତି। ପରମ୍ପରା ଅନୁଯାୟୀ ଆଜି ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ଦଇତା ପ୍ରବେଶ ନୀତି ସମ୍ପନ୍ନ ହେବା ସହ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ବିଶେଷ ଧାର୍ମିକ କାର୍ଯ୍ୟକ୍ରମ। ଆଜି ମଙ୍ଗଳଆଳତି ସମୟରେ ସମସ୍ତ ଦଇତାପତି ଗୋଷ୍ଠୀଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ଭାବେ ପରିଚିତ ଦଇତାପତିମାନେ ନୀଳମାଧବଙ୍କ ପୂଜକ ବିଶ୍ୱାବସୁଙ୍କ ବଂଶଧର ବୋଲି ବିଶ୍ୱାସ କରାଯାଏ। ସେମାନଙ୍କୁ ଶ୍ରୀମନ୍ଦିରର ଅତ୍ୟନ୍ତ ଗୁପ୍ତ ଓ ମହତ୍ତ୍ୱପୂର୍ଣ୍ଣ ସେବାର ଦାୟିତ୍ୱ ଦିଆଯାଇଥାଏ।

ଆଜି ରାତିରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ପରେ ଭୋଗ ନୀତି ଓ ପହୁଡ଼ ଆଳତି ସମ୍ପନ୍ନ ହେବ। ତା’ପରେ ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟ କଣ୍ଟ ନୀତି ସରିବା ପରେ ଅନୁଷ୍ଠିତ ହେବ ଚାରବନ୍ଧା କାର୍ଯ୍ୟ। ଏହି ନୀତି ପାଇଁ କୋଠ ସୁଆଁସିଆ ସେବକମାନେ ରତ୍ନ ସିଂହାସନରେ ପ୍ରବେଶ କରିବେ। ସେହିପରି ଆସନ୍ତାକାଲି ସକାଳୁ ସେନାପଟା ଲାଗି ନୀତି କରାଯିବ। ଏହା ପରେ ଦେବସ୍ନାନ ପୂର୍ଣ୍ଣିମାର ମୁଖ୍ୟ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚିବ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ନାନମଣ୍ଡପରେ ୧୦୮ ଘଟ ଜଳରେ ମହାସ୍ନାନ କରାଯିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)