ଅକ୍ଷର ବ୍ୟୁରୋ: ଆଉ ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହା ପୂର୍ବରୁ ସମଗ୍ର ଓଡ଼ିଶା ପାଇଁ ବର୍ଷାକୁ ନେଇ ବଡ଼ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜିଠାରୁ ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ ଜାରି ରହିବା ନେଇ ସତର୍କ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ ବର୍ଷା ପାଗ ନେଇ ପ୍ରଶାସନ ସତର୍କ ରହିବାକୁ କୁହାଯାଇଛି।
ପାଣିପାଗ ବିଭାଗ ଆଜି ପାଇଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ସହ ମୋଟ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଓ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟର ଅବଶିଷ୍ଟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ଆସନ୍ତାକାଲି ସମଗ୍ର ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଜୁନ୍ ୨୯ ତାରିଖ ଦେବସ୍ନାନ ପୂର୍ଣ୍ଣିମା ଦିନ ୧୨ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖ ଓ ଜୁଲାଇ ୧ ତାରିଖରେ ମଧ୍ୟ ରାଜ୍ୟବ୍ୟାପୀ ବର୍ଷାର ପ୍ରଭାବ ଅବ୍ୟାହତ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଯଦିଓ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରେ ପ୍ରବେଶ କରିସାରିଛି, ତଥାପି ମୌସୁମୀ ଦୁର୍ବଳ ଥିବାରୁ ଆଶାନୁରୂପ ବର୍ଷା ହୋଇନାହିଁ। ଫଳରେ ଚାଷ କାମ ପ୍ରଭାବିତ ହୋଇଥିବାବେଳେ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା। ଏବେ ଆଗାମୀ କିଛି ଦିନର ବର୍ଷା କୃଷି କାର୍ଯ୍ୟକୁ ଗତି ଦେବା ସହ ଚାଷୀଙ୍କ ପାଇଁ ଆଶାର ସଞ୍ଚାର କରିବ ବୋଲି ଆଶା କରାଯାଉଛି।












Leave a Reply