ହୁଣ୍ଡି ଭାଙ୍ଗି କାଳୀ ମନ୍ଦିରରେ କଳାକନା: ଦାନ ଟଙ୍କା ସହ ସୁନା-ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶ୍ମଶାନ କାଳୀ ମନ୍ଦିରରେ ଘଟିଛି ବଡ଼ ଧରଣର ଲୁଟକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ହୁଣ୍ଡି ବାକ୍ସ ଭାଙ୍ଗି ଦାନ ଅର୍ଥ ସହ ମା’ କାଳୀଙ୍କ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଲୁଟେରାମାନେ ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କାର ଦାନ ଅର୍ଥ ଲୁଟ କରିଥିବା ଅଭିଯୋଗ ହୋଇଛି। ଏହାସହ ମା’ଙ୍କ ଦୁଇଟି ରୂପା ମୁକୁଟ ଏବଂ କିଛି ସୁନା ଅଳଙ୍କାର ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ପୂଜାରୀ ନିତ୍ୟ ପୂଜା ପାଇଁ ମନ୍ଦିରକୁ ଆସିବା ପରେ ହୁଣ୍ଡି ଭାଙ୍ଗିଥିବା ଓ ଅଳଙ୍କାର ଗାୟବ ଥିବା ଦେଖି ଲୁଟକାଣ୍ଡ ସମ୍ପର୍କରେ ଜାଣିପାରିଥିଲେ। ପରେ ଉଦଳା ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଅପରାଧୀଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜୋରଦାର କରାଯାଇଛି। ବାରମ୍ବାର ମନ୍ଦିରକୁ ଟାର୍ଗେଟ୍ କରି ଲୁଟପାଟ ଘଟଣା ଘଟୁଥିବାବେଳେ ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଭୟ ସୃଷ୍ଟି କରିଛି। ଲୁଟେରାମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଭଳି ପରିସ୍ଥିତି ଉପୁଜିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)