ଅକ୍ଷର ବ୍ୟୁରୋ: ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଜାରାଟୋଲା ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ଓ ହୃଦୟବିଦାରକ ଘଟଣା। ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ ଯୁବକ ଯୁବତୀଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଯୁବତୀ ଗୁରୁତର ଆହତ ହୋଇଥିବାବେଳେ ସମ୍ପୂର୍ଣ୍ଣ ଘରଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, କିଞ୍ଜିରକେଲା ଅଞ୍ଚଳର ରଜତ କିରୋ ଜାରାଟୋଲା ଗାଁର ଯୁବତୀ ଅଞ୍ଜୁଙ୍କୁ ଏକତରଫା ଭାବେ ପ୍ରେମ କରୁଥିଲେ। ସେ ବାରମ୍ବାର ଅଞ୍ଜୁଙ୍କ ସହ କଥା ହେବାକୁ ଓ ସମ୍ପର୍କ ଗଢ଼ିବାକୁ ଚେଷ୍ଟା କରୁଥିଲେ। ତେବେ ଅଞ୍ଜୁ ତାଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଇଚ୍ଛୁକ ନଥିଲେ ଏବଂ ତାଙ୍କୁ ଏଡ଼ାଇ ଚାଲୁଥିଲେ। ଏହାକୁ ନେଇ ଉତ୍ତେଜିତ ହୋଇ ରଜତ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଅଞ୍ଜୁଙ୍କ ଘର ନିକଟକୁ ଆସିଥିଲେ। ପରିବାର ସଦସ୍ୟମାନେ ଶୋଇଥିବା ସମୟରେ ସେ ଘର ଚାରିପାଖରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ହଠାତ୍ ନିଆଁ ବ୍ୟାପିଯିବାରୁ ଘର ଭିତରେ ଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଅଗ୍ନିକାଣ୍ଡରେ ଯୁବତୀ ଅଞ୍ଜୁ ଗୁରୁତର ଭାବେ ପୋଡ଼ି ଆହତ ହୋଇଥିବାବେଳେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସକମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି।
ଘଟଣାକୁ ନେଇ ପରିବାର ପକ୍ଷରୁ ବିଶ୍ରା ଥାନାରେ ହତ୍ୟା ଉଦ୍ୟମ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ରଜତ କିରୋ ଘଟଣା ପରଠାରୁ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ଘଟଣା ପୁଣିଥରେ ଏକତରଫା ପ୍ରେମ ନାମରେ ବଢ଼ୁଥିବା ଅପରାଧ ଓ ମହିଳାଙ୍କ ସୁରକ୍ଷା ପ୍ରତି ଗଭୀର ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ଚର୍ଚ୍ଚା ଓ ଉତ୍କଣ୍ଠା ଦେଖାଦେଇଛି।












Leave a Reply