ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା: ସ୍ନାନବେଦୀରେ ମହାପ୍ରଭୁଙ୍କ ମହାସ୍ନାନ, ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ କଡ଼ା ସୁରକ୍ଷା

ଅକ୍ଷର ବ୍ୟୁରୋ: ରାତି ପାହିଲେ ମହାଜ୍ୟେଷ୍ଠ ପୂର୍ଣ୍ଣିମା ଓ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବର୍ଷକୁ ଥରେ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ସର୍ବସାଧାରଣଙ୍କ ସମ୍ମୁଖରେ ସ୍ନାନବେଦୀରେ ମହାସ୍ନାନ କରିବେ। ଏହି ଦିବ୍ୟ ନୀତିକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପୁରୀରେ ସୁରକ୍ଷା, ଟ୍ରାଫିକ ଓ ନୀତିକାନ୍ତିକୁ ନେଇ ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି।

ଦେବସ୍ନାନ ପୂର୍ଣ୍ଣିମାକୁ ନିର୍ବିଘ୍ନ ଓ ଶୃଙ୍ଖଳିତ କରିବା ପାଇଁ ୭୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳେ, ସହରରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଲାଗୁ କରାଯାଇଛି। ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବଳୟ ସହ ପହଣ୍ଡି ଓ ନୀତିକାନ୍ତିକୁ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପଟେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ରତ୍ନସିଂହାସନ ନିକଟରେ ଚାରମାଳ ବନ୍ଧା କାର୍ଯ୍ୟ ଚାଲିଥିବା ବେଳେ, ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ସେନାପଟା ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହେଉଛି। ସ୍ନାନ ନୀତିକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସେବାୟତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ମହାଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ମହାସ୍ନାନ ହୋଇଥାଏ। ତଳୁଚ୍ଛ ପଟୁଆରରୁ ଗରାବଡୁ ସେବକମାନେ ପବିତ୍ର ଜଳ ଆଣି ମହାପ୍ରଭୁଙ୍କ ସମ୍ମୁଖରେ ରଖିଥାନ୍ତି। ପରେ ପୂଜାପଣ୍ଡା ଷୋଡଶ ଉପଚାର ପୂଜା ସମ୍ପନ୍ନ କରିବା ପରେ ମହାସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ଚତୁର୍ଧା ମୂର୍ତ୍ତିଙ୍କୁ ପବିତ୍ର ସ୍ନାନ କରାଯାଏ। ବିଶ୍ୱାସ ରହିଛି ଯେ, ଏହି ମହାସ୍ନାନର ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ। ଦେବସ୍ନାନ ପାଇଁ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଥିବା ଶୀତଳା ଦେବୀଙ୍କ ସମ୍ମୁଖସ୍ଥ ସୁନାକୂଅରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି। ଗରାବଡୁ ସେବକମାନେ ପିତଳ ଗରାରେ ଜଳ ଆଣିଥିବା ବେଳେ, ସୁନାଗୋସାଇଁ ଓ ମୁଦିରସ୍ତ ସେବକମାନେ ନୂଆଗଡୁରେ ସ୍ନାନବେଦୀ ନିକଟରେ ଏହାର ଅଧିବାସ କରାଇଛନ୍ତି। ଚନ୍ଦନ, କର୍ପୂର, କେଶର ଓ ଚୂଆ ମିଶାଇ ସୁଗନ୍ଧିତ କରାଯାଇଥିବା ଏହି ପବିତ୍ର ଜଳରେ ଚତୁର୍ଧା ମୂର୍ତ୍ତିଙ୍କ ମହାସ୍ନାନ ସମ୍ପନ୍ନ ହେବ।

ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩ ଗଡୁ, ମା’ ସୁଭଦ୍ରାଙ୍କୁ ୨୨ ଗଡୁ ଏବଂ ସୁଦର୍ଶନଙ୍କୁ ୧୮ ଗଡୁ ସୁନାକୂଅ ଜଳ ଲାଗି କରାଯିବ। ଅର୍ଥାତ୍ ମୋଟ ୧୦୮ ଗଡୁ ସୁଗନ୍ଧିତ ପବିତ୍ର ଜଳରେ ସ୍ନାନବେଦୀରେ ମହାସ୍ନାନ ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଶ୍ରୀକ୍ଷେତ୍ରରେ ଏବେଠାରୁ ଭକ୍ତଙ୍କ ଭିଡ଼ ବଢ଼ିବା ଆରମ୍ଭ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ସହ ନୀତିକାନ୍ତିକୁ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ବର୍ଷକୁ ଥରେ ହେଉଥିବା ଏହି ମହାନ ଆଧ୍ୟାତ୍ମିକ ଉତ୍ସବକୁ ସାକ୍ଷୀ ରହିବାକୁ ଶ୍ରୀକ୍ଷେତ୍ର ଏବେ ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial