ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଞ୍ଚଳରେ ଜଣେ ୩୯ ବର୍ଷୀୟା ବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ବେତନଟୀ ପୁଲିସ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ଜଣେ ସନ୍ଦିଗ୍ଧ ପୁରୁଷଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୁଲିସ ସୂଚନା ଅନୁଯାୟୀ, ଅଟକ ଥିବା ବ୍ୟକ୍ତି ହେଲେ ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଗରୁଡ଼ବସା ଗ୍ରାମର କଟି ଓରଫ ଜିତେନ୍ଦ୍ର ମହାନ୍ତ। ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ପୀଡ଼ିତା ଲୁଗା କିଣିବା ପାଇଁ ଘରୁ ବାହାରିଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରି ନଥିଲେ। ପରବର୍ତ୍ତୀ ସମୟରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ପ୍ରଥମେ ତାଙ୍କ ପରିବାରକୁ ଅଟକ ଥିବା ବ୍ୟକ୍ତି ହିଁ ସୂଚନା ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଦାଖଲ କରିଥିବା ଏତଲାରେ, ଜିତେନ୍ଦ୍ର ମହାନ୍ତ ଦୁଷ୍କର୍ମ କରିବା ପରେ ତାଙ୍କ ସ୍ତ୍ରୀଙ୍କ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ବେତନଟୀ ପୁଲିସ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଦୁଷ୍କର୍ମ ଓ ହତ୍ୟା ସମ୍ବନ୍ଧୀୟ ଧାରାରେ ମାମଲା ରୁଜୁ କରିଛି ଏବଂ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରଖିଛି। ଘଟଣାର ପ୍ରକୃତ କାରଣ, ପରିସ୍ଥିତି ଏବଂ ଅଭିଯୋଗର ସତ୍ୟତା ସମ୍ପର୍କରେ ପୁଲିସ ତଦନ୍ତ କରୁଛି।












Leave a Reply